ମାତୃ ମିଲେଟ୍ସ କାର୍ଯ୍ୟକ୍ରମ ପାଳିତ

0 50

ନନ୍ଦାହାଣ୍ଡି,୨/୬- ବିଶ୍ୱ ଜାତିସଂଘରେ ଭାରତର ଅନୁରୋଧ କ୍ରମେ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ସ୍‌ ବର୍ଷ ରୂପେ ଘୋଷଣା କରାଯାଇଛି । ମିଲେଟ୍ସ୍‌ ଉତ୍ପାଦନରେ ଭାରତ ସକ୍ଷମ ହୋଇ ରପ୍ତାନୀ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ପଞ୍ଚମ ବୃହତ୍‌ ରାଷ୍ଟ୍ର ରୂପେ ମାନ୍ୟତା ହାସଲ କରିପାରିଛି । ମିଲେଟ୍ସ (କ୍ଷୁଦ୍ର ଶସ୍ୟ) ଭାବେ ମାଣ୍ଡିଆ, କୋଦ, ସୁଆଁ, ଗୁରୁଜୀ, ଖେଡ ଜନ୍ନା ଓ ବାଜରା ଆଦି ଶସ୍ୟ ଯେଉଁଥିରେ କି ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ସାର ରହିଛି ସେହିସବୁ କ୍ଷୁଦ୍ର ଖାଦ୍ୟଶସ୍ୟକୁ ଗ୍ରହଣ କରାଯାଇଛି । ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ଏହିସବୁ ମଧ୍ୟରୁ ମାଣ୍ଡିଆ ଚାଷ ହିଁ ପ୍ରଚୁର ପରିମାଣରେ ଅମଳ ହୋଇଥାଏ । ନିକଟରେ ଭୂ-ପ୍ରଜାତି ମାଣ୍ଡିଆ ବିହନ ନିରୂପଣ ପାଇଁ ନିର୍ଦ୍ଦେଶ ହେବାରୁ ଓଡିଶା ସର୍ବାଧିକ ୧୬୩ ପ୍ରକାର ଭୂ – ପ୍ରଜାତି ଜାରି କରି ପ୍ରଥମ ସ୍ଥାନ ଅଧିକାର କରିପାରିଛି । ସେଥିମଧ୍ୟରୁ ୧୪ ଭୂ- ପ୍ରଜାତି ଉତ୍ତମ ପ୍ରଦର୍ଶନ କରିବ ବୋଲି କୁହାଯାଇଛି । ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ନିୟମିତ ବ୍ୟବହାର କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ନନ୍ଦାହାଣ୍ଡି ବ୍ଲକ୍‌ ସିନ୍ଧିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦଳେଇଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଏହି ମାତୃ ମିଲେଟ୍ସ୍‌ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳାମାନଙ୍କ ସମେତ ଆଖପାଖ ଅଞ୍ଚଳର ଅନେକ ମହିଳା ଏସଏଚଜିର ସଦସ୍ୟାମାନେ ଉପସ୍ଥିତ ରହିଥିଲେ । ମହିଳାମାନଙ୍କୁ ମିଲେଟ୍ସର ଉପାଦେୟତା ବିଷୟରେ ବୁଝାଇବା ପାଇଁ ନନ୍ଦାହାଣ୍ଡି ସମନ୍ୱିତ ଶିଶୁ ବିକାଶ ସେବା ସୁପରଭାଇଜର ଶାନ୍ତିଲତା ଭୂମିଆ ଓ ଅଙ୍ଗନୱାଡି କର୍ମୀ ରେବତୀ ଶିରା, ଦମୁଣୀ ହରିଜନ ଓ ଜୋତ୍ସ୍ନାରାଣୀ ପାତ୍ର ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ‘ଦୋସ୍ତ’ ନାମକ ଏନଜିଓ ଦ୍ୱାରା ଆୟୋଜିତ କରାଯାଇଥିଲା । ଏନଜିଓ ତରଫରୁ ଜାକୋବ ବେନ୍ୟା , ମନୋଜ କୁମାର ସାଧୁ, ଏସ. ଭବାନୀ ଓ ବୈଷ୍ଣବୀ ଦେବୀ ସମେତ ସିଆରପିମାନେ ଯୋଗ ଦେଇଥିଲେ । ଉପସ୍ଥିତ ମହିଳାମାନେ ନିଜ ପରିବାରରେ ନିୟମିତ ମାଣ୍ଡିଆ ଖାଦ୍ୟ ଖାଇବା ପାଇଁ ବଦ୍ଧପରିକର ହେବାସହ ସାହି ପଡିଶା ଲୋକଙ୍କୁ ମଧ୍ୟ ଅବଗତ କରାଇବା ପାଇଁ କହିଥିଲେ ।

hiranchal ad1
Leave A Reply

Your email address will not be published.

7 − 2 =