ନୂଆପଡ଼ା : ନକ୍ସଲ ଆକ୍ରମଣରେ ଆଜି ୩ ଜଣ ଯବାନ ସହିଦ ହୋଇଛନ୍ତି । ସେମାନେ ସିଆର୍ପିଏଫ୍ର । ନୂଆପଡା ଜିଲ୍ଲା ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହୋଇଥିଲା ହମଲା । ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଓ ଧର୍ମେନ୍ଦ୍ର କୁମାର ସିଂହ । ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଏସ୍ପି ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ବୋଡେନ୍ ଥାନା ପାଟଧରାରେ ସିଆର୍ପିଏଫ୍ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଏହାକୁ ନକ୍ସଲମାନେ ବିରୋଧ କରୁଥିଲେ । କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ମାରି ଦାବି କରି ଆସୁଥିଲେ । ଆଜି ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପକୁ ଯାଉଥିଲେ । ଏହି ସମୟରେ ନକ୍ସଲମାନେ ହମ୍ଲା କରିଥିଲେ । ଏହାର କଡା ଯବାବ ଦେଇଥିଲେ ସିଆର୍ପିଏଫ୍ ଯବାନ । ତେବେ ଏହାର ତିନି ଯବାନ ସହିଦ ହୋଇଛନ୍ତି । ସହିଦ ଶିଶୁପାଳ ସିଂହଙ୍କ ଘର ଉତ୍ତର ପ୍ରଦେଶର ଆଲିଗଡର ଲାଲଗରି ଗାଁରେ । ତାଙ୍କୁ ୪୯ ବର୍ଷ ହୋଇଥିଲା । ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାର ପାଇଗା ଗାଁରେ । ଧର୍ମେନ୍ଦ୍ର କୁମାର ସିଂହଙ୍କ ଘର ବିହାରର ରୋହତସ୍ ଜିଲ୍ଲାର ସରାୟା ଗାଁରେ । ସହିଦ ହୋଇଥିବା ୩ ସିଆର୍ପିଏଫ୍ ଯବାନଙ୍କ ପରିବାର ପାଇଁ ଓଡିଶା ସରକାର ସହାୟତା ଘୋଷଣା କରିଛନ୍ତି । ପ୍ରତି ସହିଦ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି କହିଛନ୍ତି ।