ରମାଦେବୀ ପୁରାତନ ଛାତ୍ରୀ ସଙ୍ଘ ତରଫରୁ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ସମ୍ବର୍ଦ୍ଧନା

0 43

ଭୁବନେଶ୍ବର : ରମାଦେବୀ ମହିଳା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ବବିଦ୍ୟାଳୟ) ର ପୁରାତନ ଛାତ୍ରୀ ତଥା ରାଜ୍ୟର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଆଜି ପୁରାତନ ଛାତ୍ରୀ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀମତୀ ପାଢ଼ୀ କୁନ୍ତଳାକୁମାରୀ ଗ୍ରନ୍ଥାଗାରରେ କୁନ୍ତଳା କୁମାରୀକଂ ଏକ ତୈଳ ଚିତ୍ର ଉନ୍ଚୋଚନ କରିଥିଲେ । କୁଳପତି ପ୍ର.ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ, ଶ୍ରୀମତୀ ପାଢୀ କହିଥିଲେ ଯେ ସେ ଅଧ୍ୟୟନ କରିଥିବା ଏହି ଶିକ୍ଷାନୁଷ୍ଠାନରେ ପାଦ ଦେଇ ସେ ଅତ୍ୟନ୍ତ ଭାବବିହ୍ଵଳ ହୋଇପଡିଛନ୍ତି, ଯାହା ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ମା ରମାଦେବୀ ଙ୍କ ନାମରେ ନାମିତ ଶିକ୍ଷାନୁଷ୍ଠାନ ରେ ପଦ ଦେବାର ଅନୁଭୂତି ଅବରଣନୀୟ I ଏହି ମାଟିର ଚମକ ଅଛି, ଆକର୍ଷଣ ଅଛି ଓ ଏହାର ଶକ୍ତିଭରି ରହିଛି। ଏଠାକୁ ଆସିବାକୁ ରାଜ୍ୟର ପ୍ରତ୍ୟେକ ଛାତ୍ରୀ ବ୍ୟସ୍ତ ଓ ବ୍ୟାକୁଳ ହୋଇଥାନ୍ତି। ଏଠାକାର ଦ୍ଵାରରେ ପଶି ପୁଣି ସଂସାରର ଦ୍ବାରରେ ପ୍ରବେଶ କଲେ ଜଣେ ଅଟଳ, ଦୃଢମନା ଓ ଶକ୍ତିଶାଳୀ ହୋଇଥାଏ। ମା ରମାଦେବୀଙ୍କ ପ୍ରେରଣା ଓ ତାଙ୍କ ଆଦର୍ଶ ଆଜି ସମସ୍ତଙ୍କୁ ଅନୁପ୍ରାଣିତ ଓ ଶାଣିତ କରୁଛି। ଓଡ଼ିଶାରେ ସେ ପ୍ରାୟ ୪୦୦୦ କି.ମି. ପଦଯାତ୍ରା କରିଛନ୍ତି। ସ୍ବାଧୀନତା ସଙ୍ଗ୍ରାମରେ ଝାସ ଦେଇଛନ୍ତି ଓ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଯାହା ବିରଳ। ଶେଷରେ ସେ ମା ଧରିତ୍ରୀର ସୁରକ୍ଷା ଓ ପରିବେଶ ସନ୍ତୁଳନ ପାଇଁ ସମସ୍ତେ ଗୋଟିଏ-ଗୋଟିଏ ଗଛ ଲଗେଇବାକୁ ଆହ୍ବାନ ଦେଇଥିଲେ। ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଙ୍ଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ତରଫରୁ ସେ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରୀ ସଙ୍ଘକୁ ରମାଦେବୀଙ୍କ ଫୋଟୋଚିତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ରୋଟାରୀ କ୍ଲବ ତରଫରୁ ଛାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ଏକ ସ୍ଯାନିଟାରି ପ୍ୟାଡ ଭେନଡିଙ୍ଗ ମେସିନକୁ ସେ ଉଦ୍ଘାଟନ କରିଥିଲେ । ବିଶ୍ୱବିଦ୍ୟାଳୟରେ ଶେଷ ତିନି ବର୍ଷର ସର୍ବଶ୍ରେଷ୍ଠ ଗ୍ରାଜୁୟେଟ ମାନଙ୍କୁ ପୁରସ୍କୃତ କରିଥିଲେ। କୁଳପତି ପ୍ର. ଅପରାଜିତା ଚୌଧୁରୀ ନିଜର ବକ୍ତବ୍ୟରେ ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ସହ ବିଶ୍ବବିଦ୍ୟାଳୟର ଉନ୍ନତି କଳ୍ପେ ସହଯୋଗ କାମନା କରିଥିଲେ । କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ରୀ ସଙ୍ଘର ସମ୍ପାଦିକା ଡଃ. ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ରୀ ସଙ୍ଘର ସାଧାରଣ ପରିଷଦ ବୈଠକର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ରୂପେ ପ୍ର. ଅପରାଜିତ ଚୌଧୁରୀ, ଉପସଭାପତି ଶ୍ରୀମତୀ ସୁଚିତ୍ରା ସାମଲ, ସହ ଉପସଭାପତି ଶ୍ରୀମତୀ ସ୍ନିଗ୍ଧା ପାଣିଗ୍ରାହୀ, ସାଧାରଣ ସମ୍ପାଦିକା ଡଃ ସ୍ନେହଲତା ଦାସ, ଯୁଗ୍ମ ସମ୍ପାଦିକା ଡଃ ମୋନାଲିସା ମହାନ୍ତି, ସହସମ୍ପାଦିକା ଶ୍ରୀମତୀ ଶୁଶ୍ରୀ ମିଶ୍ର, କୋଷାଧ୍ୟକ୍ଷା ଡଃ ସସ୍ମିତା ମହାନ୍ତି ଓ ଯୁଗ୍ମ କୋଷାଧ୍ୟକ୍ଷା ଡଃ ସରିତା ମିଶ୍ର ମନୋନୀତ ହୋଇଛନ୍ତି।

hiranchal ad1
Leave A Reply

Your email address will not be published.

four × 1 =