ଦୁର୍ଗମ ଅଞ୍ଚଳରେ ଅନଲାଇନ ପଢା ଫେଲ୍: ଗାଈ ଚରାଇଲେଣି ପିଲା, ନାହିଁ ନେଟୱାର୍କ ସୁବିଧା

0 172

ହରଭଙ୍ଗା: ମହାମାରୀ କରୋନା ପାଇଁ ଦୀର୍ଘ ୭ମାସ ହେଲାଣି ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିଛି । କେବେ ଖୋଲିବ ତାହା ବି ନିଶ୍ଚିତ ହୋଇନି । କିନ୍ତୁ ଅନଲାଇନରେ ପାଠପଢା ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଭାଗ୍ୟର କଥା ଯେ ସରକାରଙ୍କ ଅନଲାଇନ ପାଠପଢା ବ୍ୟବସ୍ଥା ବାସ୍ତବତାଠାରୁ ବହୁ ଦୂରରେ । ଅଧିକାଂଶ ଅଂଚଳରେ ନେଟୱାର୍କର ସୁବିଧା ନଥିବା ଯୋଗୁଁ ବହୁ ଛାତ୍ରଛାତ୍ରୀ ଅନଲାଇନ ପାଠପଢାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଅବହେଳିତ ହରଭଙ୍ଗା ବ୍ଲକର ଦୁର୍ଗମ ଓ ଉପାନ୍ତ ଅଂଚଳ ହେଲା ସାତଖଣ୍ଡ, ବଡଖଜୁରୀ, ମାରାଡି, କୁଟିବାରୀ, ଗୋରେଡିସାହି, ଦମଣ୍ଡ, ତଳଗାଁ, ହିନ୍ଦଳ, ଖଲିସାହି, ଉଡୁଗୁଜୁ, ପଦ୍ମାତୋଳା, ଅତଲସରା, ଭାବପୁର, କାଜୁପାଦୁ, ରାଣିଗଞ୍ଜ, ବାଙ୍କଅର୍ଜୁନ ଆଦି ଅଂଚଳରେ ଆଦୌ ନେଟୱାର୍କ ସୁବିଧା ନାହିଁ । ତେଣୁ ଛାତ୍ରଛାତ୍ରୀମାନେ ଅନଲାଇନ ପାଠପଢାରୁ ବଞ୍ଚିତ ହୋଇଛନ୍ତି ।

hiring

ଫଳରେ ଅନେକ ଛାତ୍ର ବାପାମାଆଙ୍କୁ ସାହାଯ୍ୟ କରିବା ପାଇଁ ଗାଈ ଚରାଇବା ସହ ଚାଷ କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଆଉ କେତେକ ସ୍ଥାନରେ ବିଏସ୍‌ଏନଏଲ ସୁବିଧା ଥିଲେ ସୁଦ୍ଧା ୨ଜି ନେଟୱାର୍କ ହୋଇଥିବାରୁ ଡାଟା ଆଦୌ କାମ କରୁନଥିବା ଅଭିଯୋଗ ହେଉଛି । ହରଭଙ୍ଗା ପଞ୍ଚାୟତର ବିଏସ୍‌ଏନ୍‌ଏଲ୍ ନେଟର ୩ଜି ସୁବିଧା ଥିଲେ ସୁଦ୍ଧା ମାସକୁ ଅଧା ଦିନ ନେଟୱାର୍କ ରହୁନଥିବା ବେଳେ ଅଧାଦିନ ବିଦ୍ୟୁତ ନଥିବା ଯୋଗୁଁ ମୋବାଇଲରେ ଚାର୍ଜ ରହୁନାହିଁ । ଏହି କାରଣ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ସେହିପରି କେତେକ ଅଂଚଳର ଶିକ୍ଷକମାନେ ଗାଁକୁ ଯାଇ ପିଲାଙ୍କ ଘରେ ପାଠ ପଢାଉଥିବା ଦେଖିବାକୁ ମିଳୁଛି । ହରଭଙ୍ଗା ବ୍ଲକ ଅଂଚଳର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବା ଯୋଗୁଁ ନେଟୱାର୍କ ସୁବିଧା ଥିଲେ ସୁଦ୍ଧା ଅନଲାଇନ କ୍ଲାସରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସମସ୍ତ ଅଂଚଳରେ ୩ଜି/୪ଜି ନେଟୱାର୍କ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ଯଦି ସରକାର ଏ ଦିଗରେ ଉଚିତ୍ ଧ୍ୟାନ ନଦିଅନ୍ତୁ ତେବେ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେବ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three + 14 =