ରାଷ୍ଟ୍ରପତିଙ୍କ ଠାରୁ ଓଡିଶାର ୫ ଜଣ ଗ୍ରହଣ କଲେ ପଦ୍ମ ପୁରସ୍କାର

0 100

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆଜି ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ୫ ଓଡିଆ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫ ଓଡିଆଙ୍କ ସହ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ ଅନେକ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ମିଳିଛି । ରାଷ୍ଟ୍ରପତି ଓଡିଶାର ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହାବାଦ, ଭାରତ ବର୍ଷର ବରିଷ୍ଟ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ (ମରଣୋତ୍ତର) ପଦ୍ମଶ୍ରୀ ସମ୍ମାନ ମିଳିଛି । ସ୍ୱର୍ଗତ ଗୁରୁଙ୍କର ପତ୍ନୀ ଅଞ୍ଜଳି ମହାପାତ୍ର ରାଷ୍ଟ୍ରପତି କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସ୍ୱଗର୍ତ ଗୁରୁ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଗୁଜରାଟ କ୍ୟାଡର ଆଇପିଏସ । ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ମୋଟ ୬୪ ଜଣଙ୍କୁ ସମ୍ମାନିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାରର ବିତରଣ ଉତ୍ସବ ୨୮ ତାରିଖରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ଖ୍ୟାତନାମା ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ଓ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପୁରସ୍କାର ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ରାଷ୍ଟ୍ରପତି ସମ୍ମାନିତ କରିବେ । ଆଜି ରାଷ୍ଟ୍ରପତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପୂର୍ବତନ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ମିଳିଛି । ଜେନେରାଲ ରାୱତଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଗତବର୍ଷ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ୍‌ ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା । ପାରା ଶୁଟର ଅବନୀ ଲେଖାର କ୍ରୀଡ଼ା ବର୍ଗରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ସେ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଥିଲେ । ଭାରତୀୟ ମହିଳା ହକି ଟିମର ବନ୍ଦନା କଟାରିୟା ମଧ୍ୟ ଆଜି ପଦ୍ମଶ୍ରୀ ଗ୍ରହଣ କରିଛନ୍ତି । ପାରା ଜାଭେଲିନ ଖେଳାଳି ଦେବେନ୍ଦ୍ର ଝାଝାରିଆଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି । ଆଜି ରାଷ୍ଟ୍ରପତି ଦୁଇ ଜଣଙ୍କୁ ପଦ୍ମ ବିଭୂଷଣ, ୮ ଜଣଙ୍କୁ ପଦ୍ମ ଭୂଷଣ ଓ ୫୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଜେନାରାଲ ରାୱତଙ୍କ ବ୍ୟତୀତ ରାଧେଶ୍ୟାମ ଖେମେକାଙ୍କୁ ପଦ୍ମ ବିଭୂଷଣ(ମରଣୋତ୍ତର) ମିଳିଛି ।

hiranchal ad1
Leave A Reply

Your email address will not be published.

1 + 14 =