ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ

0 72

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ୍‌। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ।
ଏହି ନିୟମ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ପାଇଁ ଲାଗୁ ହେବ। ଜାନୁଆରୀ ୨୬ରେ ରାଜପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଯୋଗାଦେବାକୁ ଥିବା ଲୋକମାନେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ବୋଲି ଗାଇଡଲାଇନରେ କଡ଼ାକଡ଼ି ଭାବେ କୁହାଯାଇଛି।
ଦିଲ୍ଲୀ ପୁଲିସ୍‌ କହିଛି ଯେ “ଆଣ୍ଟି କରୋନା ଭାଇରସ ଭ୍ୟାକସିନର ଉଭୟ ଡୋଜ୍‌ ନେବା ଜରୁରୀ। ଗଣତନ୍ତ୍ର ଦିବସକୁ ଆସୁଥିବା ଅତିଥିମାନେ ଦୟା କରି ନିଜ ସହ ଆସିବା ବେଳେ ଟିକାକରଣ ପ୍ରମାଣପତ୍ର ଆଣିବେ। ୧୫ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ।”
ପୁଲିସ୍‌ ଗାଇଡଲାଇନରେ ଆହୁରି କହିଛି ଯେ ଅତିଥିଙ୍କ ପାଇଁ ସିଟିଂ ବ୍ଲକଗୁଡ଼ିକ ସକାଳ ୭ଟାରୁ ଖୋଲିବ। ତେଣୁ କୋଭିଡ ଗାଇଡଲାଇନ ପାଳନ କରି ଲୋକମାନେ ଏଠାକୁ ଆସି ପାରିବେ। ପାର୍କିଂ ପାଇଁ ସ୍ୱଳ୍ପ ସ୍ଥାନର ବ୍ୟବସ୍ଥା ହୋଇଛି। ତେଣୁ ଆଗନ୍ତୁକଙ୍କୁ ଟ୍ୟାକ୍ସି କିମ୍ବା ଅନ୍ୟ ଗାଡ଼ିରେ ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସମସ୍ତେ ନିଜ ସହ ବୈଧ ପରିଚୟ ପତ୍ର ଆଣିବେ ଓ ସୁରକ୍ଷା ଯାଞ୍ଚ ବେଳେ ପୁଲିସ୍‌କୁ ସହଯୋଗ କରିବେ। ସବୁ ପାର୍କିଂରେ ରିମୋଟ କଣ୍ଟ୍ରୋଲ କାର ଲକ ଚାବିକୁ ଜମା କରିବାକୁ ବ୍ୟବସ୍ଥା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।
ଗଣତନ୍ତ୍ର ଦିବସରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିପାଇଁ ବିଭିନ୍ନ ସ୍ଥାନରେ ୨୭ ହଜାର ୭୩୨ ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ଏମାନଙ୍କ ମଧ୍ୟରେ ୭୧ ଡିସିପି, ୨୧୩ ଏସିପି ଓ ୭୫୩ ଇନସପେକ୍ଟର ରାଙ୍କର ଅଧିକାରୀ ଅଛନ୍ତି।
ସେମାନଙ୍କୁ ୬୫ କମ୍ପାନୀ ସିଏପିଏଫ ସହାୟତା କରିବେ। ଆତଙ୍କୀ ହମଲା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରାଯାଇଛି। ସୁରକ୍ଷାକର୍ମୀମାନେ ବିଭିନ୍ନ ହୋଟେଲ, ଲଜ ଓ ଧର୍ମଶାଳାରେ ମଧ୍ୟ ଯାଞ୍ଚ କରୁଛନ୍ତି। ଡ୍ରୋନ ଜନିତ ଅଘଟଣକୁ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

hiranchal ad1
Leave A Reply

Your email address will not be published.

4 × 1 =