ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତ୍ରୀବେଦୀ ପାର୍କରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ । ପାର୍କ ଭିତରେ ଥିବା ଏକ ଘରୁ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ସିକ୍ୟୁରିଟି ଗାର୍ଡ ବାଲିଗୁଡ଼ା ଥାନା ଗୁମାପଦର ନିକଟସ୍ଥ ବଲମରପଦର ଗ୍ରାମର ଦିବାକର ବିନ୍ଧାଣୀ । ସୂଚନା ପ୍ରକାରେ ନିଜ ନିଜ ଡିୟୁଟି ସାରି ପାର୍କରେ କାମ କରୁଥିବା ଛ ଜଣ କର୍ମଚାରୀ ପାର୍କ ତାଲା ପକାଇ ନିଜ ନିଜ ଘରକୁ ଚାଲିଯାଆନ୍ତି । ଗତକାଲି ମଧ୍ୟ ରାତି ୮ଟାରେ ପାର୍କ ବନ୍ଦ କରି ସମସ୍ତେ ଘରକୁ ଯିବାକୁ ବାହାରିଥିଲେ ହେଲେ ଦିବାକର ଯାଇନଥିଲେ । ଦିବାକର ନଯିବା କଥା ମଧ୍ୟ କେହି ଯାଣିପାରିନଥିଲେ । ଘରକୁ ନଫେରିବାରୁ ଦିବାକରଙ୍କ ସ୍ତ୍ରୀ ଲଳିତା ବିନ୍ଧାଣୀ ସ୍ବାମୀଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇନଥିଲେ । ସକାଳୁ କିଛି କର୍ମଚାରୀ ପାର୍କକୁ ଆସିବା ପରେ କୌଣସି କାମରେ ସେହି ଘର ଭିତରକୁ ଯିବାପରେ ଦିବାକର ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ହେଲେ ଦିବାକରଙ୍କ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି ।