ପାଟଣାଗଡ,୨୦/୩: ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ-ପାଟଣାଗଡ ରାସ୍ତା ଶୁକ୍ରବାର ରାତ୍ରି ୮ଟାରେ ଝାର୍ବନ୍ଦ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ଘଟିଥିଲା । ସୁଚନାନୁସାରେ ବାଇକରେ ୨ ଜଣ ଯୁବକ ଖପ୍ରାଖୋଲରୁ ପାଟଣାଗଡ ଆସୁଥିବାବେଳେ ଝାର୍ବନ୍ଦ ଛକଠାରେ ଏକ ଅଜଣା ଗାଡି ଧକ୍କାହେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ୍ ଓ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳକୁ ପାଟଣାଗଡ ପୋଲିସ୍ ଏଏସ୍ଆଇ ସୁଦର୍ଶନ ଦୋରା ପହଞ୍ଚି ମୃତ ଯୁବକ ଦ୍ୱୟକୁ ଉଧାରକରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ଡାକ୍ତରଖାନାକୁ ନେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଆନୁସାରେ ଝାର୍ବନ୍ଦ ପାଖରେ ଏକ ବ୍ରିଜ କାମ ଚାଲିଥିବା ବେଳେ ସେହି କାମରେ ବ୍ୟବହୃତ ଜେସିବି କିମ୍ବା ଡମ୍ଫର୍ ଧକ୍କାରେ ଏହି ଯୁବକ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଆଜି ବଲାଙ୍ଗିର ଜିଲ୍ଳା ପାଟଣାଗଡ -ବଲାଙ୍ଗୀର ମୁଖ୍ୟ ରାସ୍ତା ସରମୁହାଣ ଠାରେ କ୍ଷତିପୂରଣ ଦାବୀରେ ମୃତକଙ୍କ ପରିବାର ରାସ୍ତା ଅବରୋଧ କରିଥିଲେ । ମୃତକ ପରିବାରକୁ କ୍ଷତିପୂରଣ ଓ ଠିକାଦାର ଏବଂ ଡ୍ରାଇଭରକୁ ଗିରଫ ଦାବିରେ ରାସ୍ତାରୋକ କରିଥିଲେ । ଦୀର୍ଘ ସମୟ ଧରି ଅବରୋଧ ପରେ ପାଟଣାଗଡ ସହକାରୀ ଉପଜିଲ୍ଲାପାଳ କ୍ଷୀରୋଦ କୁମାର ସାହୁ ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ବୁଝାଶୁଝା କରିବାସହିତ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଦେବାର ପ୍ରତିଶ୍ରୁତି ଦେଲା ପରେ ରାସ୍ତା ଅବରୋଧ ହଟିଥିଲା ।