ପାଟଣାଗଡ଼,୨୮/୫- ପବିତ୍ର ଜ୍ୟେଷ୍ଠ ଷଷ୍ଠୀକୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରା ଯାଉଥିବା ବେଳେ ମାତା ପାର୍ବତୀ (ମାଁ ବିନ୍ଧ୍ୟ ବାସିନୀ ) ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହିଦିନହିଁ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା ବହୁ ପୁରାତନ । ଏଣୁ ଏହିଦିନକୁ ଶୀତଳ ଷଷ୍ଠୀ ରୂପେ ପାଳନ କରାଯାଇଥାଏ । ଏ ନେଇ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟବାସୀ ଗିରିବାସୀ ବିଂଝାଲ ସମାଜ ପକ୍ଷରୁ ଚଳିତବର୍ଷ ପାଇଁ ଶୀତଳ ଷଷ୍ଠୀ ପୂଜା ପାଳନ କରିବା ପାଇଁ ହରିଶଙ୍କରସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ବିଂଝାଲ ସମାଜ ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରି ବିଂଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି , ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଶୀତଳ ଷଷ୍ଠୀ ପୂଜା ବନ୍ଦ ରହିଥିଲା । ଚଳିତ ବର୍ଷ ଏହି ପୂଜା ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହରିଶଙ୍କର ମନ୍ଦିରରେ ସହକାରୀ ମ୍ୟାନେଜର ଭାଗ୍ୟ ସାହୁ, ବିପିନ ପୁଟେଲଙ୍କ ସମେତ ପୂଜକ ମାନେ ବୈଠକରେ ଉପସ୍ଥିତ ରହି ଶୀତଳ ଷଷ୍ଠୀ ପୂଜା ଉପରେ ଆଲୋଚନା କରିଥବାବେଳେ ଆସନ୍ତା ଜୁନ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଶିବ ବିବାହ ଅନୁଷ୍ଠିତ ହେବ । ଜ୍ୟେଷ୍ଠ ପଞ୍ଚମୀ ଦିନ ମହାପ୍ରଭୁ ଶଙ୍କରଙ୍କର ବିବାହଉତ୍ସବ ଅନୁଷ୍ଠିତ ହେବ । ଏହା ସହ ଷଷ୍ଠୀଦିନ ସନ୍ଧ୍ୟାରେ ଶଙ୍କର ବାବାଙ୍କ ଗୁଆ ଚୁପା ନିବନ୍ଧ ଓ ରାତିରେ ବରଯାତ୍ରୀ ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ବର୍ଷ ପରେ ଶୀତଳ ଷଷ୍ଠୀ ର ଆୟୋଜନ ହେଉଥିବା ବେଳେ ଏହାକୁ ନେଇ ସର୍ବ ଭାରତୀୟ ବିଂଝାଲ ସମାଜ ବେଶ ଉତ୍ସାହିତ ଥିବାବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା ,ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ବିରଞ୍ଚି ବରିହା , ଗୋପାଳ ବରିହା , ଟିକେଶ୍ୱର ବରିହା ,ବ୍ଳକ ଚପରାଶି ରତ୍ନାକର ବରିହାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।