ଫୁଲବାଣୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ

0 188

ଫୁଲବାଣୀ: ସୋମବାର ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀର କନ୍ଧମାଳ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ । ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜର ତଥା ନିଜ ପରିବାରର ଚିକିତ୍ସା ପାଇଁ ମୋ ରାଜ୍ୟର ଲୋକେ ଆଉ ଜମିବାଡି ବନ୍ଧା ପକାଇବେ ନାହିଁ । ରାଜ୍ୟବାସୀଙ୍କୁ ମାଗଣାରେ ବଡ଼ବଡ ଡାକ୍ତରଖାନାରେ ସ୍ମାର୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟ ସରକାରଙ୍କ ଏହିଭଳି ପ୍ରୟାସକୁ ସମସ୍ତ ଗରିବଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନପାରିବାର ଭୟ ଦୂର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବା ସହ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ହେଲ୍‌ଥ କାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି । ଏହା ସହିତ ପ୍ରାୟ ୮୪୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ ଲକ୍ଷ ୬୫ ହଜାର ୯୭ ଜଣ ହିତାଧିକାରୀ ସ୍ମାର୍ଟ କାର୍ଡ ସ୍ୱାସ୍ଥ୍ୟସେବା ପାଇବେ ।

hiring


ଏହାର ସଠିକ ପରିଚାଳନା କରିବା ପାଇଁ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀରେ ଥିବାବେଳେ ମନ୍ତ୍ରୀ ବିକ୍ରମ ଆରୁଖ, ତୁଷାର କାନ୍ତ ବେହେରାଙ୍କ ସମେତ ୮ ଜଣ ମନ୍ତ୍ରୀ ଓ ବିଧାୟକମାନେ ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ପ୍ରତି ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ସୁବିଧା ରହିଛି । ଦେଶର ୨ଶହ ବଡବଡ ବଛାବଛା ହସ୍ପିଟାଲରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇପାରିବେ ଗରୀବ ଲୋକେ ବୋଲି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା । ପ୍ରାୟ ତିରିଶ ଜଣ କର୍ମୀଙ୍କୁ ପୋଲିସ ବିଭିନ୍ନ ସ୍ଥାନରୁ ଅଟକ ରଖିଥିଲା ।


ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କୋଭିଡ଼ ୧୯ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯାଇଥିଲା ।
ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ଗରିବ ଲୋକଙ୍କ ମଧ୍ୟରେ ଅର୍ଥ ଅଭାବରୁ ଚିକିତ୍ସା କରାଇ ନପାରିବା ଭୟ ଦୂର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଆଜି କନ୍ଧମାଳ ଜିଲ୍ଲାର ୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୁହଁରେ ହସ ଫୁଟାଇବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଧାୟକ ତଥା ବିଜେଡି ନେତା ପ୍ରଣବ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × one =