ଫୁଲବାଣୀ,୪/୯: ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ନିଜ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଜଣେ ଓକିଲଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାକୁ ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ ମହାନ୍ତିଙ୍କ ନେତୃତ୍ୱରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପ୍ରଦାନ କରାଯାଇଛି । ଲିଖିତ ସୂଚନା ଅନୁଯାୟୀ ଗାଜିଆବାଦର ଆଇନଜୀବୀ ମନୋଜ ଚୌଧୁରୀ(ମନୋଜ ଜାଠ୍)ତାଙ୍କର କାର୍ଯ୍ୟାଳୟ ଭିତରେ ବସି ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯିବାଏକ ଅମାନବୀୟ ହୀନ କାର୍ଯ୍ୟ ବୋଲି କୁହାଯିବା ସହିତ ଏହାର ଅପରାଧୀ ମାନଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ଦାବି କରାଯାଇଛି ।
ଏଥିସହିତ ଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଦେଶରେ ଆଡଭୋକେଟ ପ୍ରୋଟେକ୍ସନ୍ ଆକ୍ଟ ଅଣାଯିବାକୁ ମଧ୍ୟ ଦାବି କରାଯାଇଛି । ଏଥିସହିତ କୋର୍ଟ ପରିସରରେ ଓକିଲମାନେ କାର୍ଯ୍ୟ କରୁଥିବାବେଳେ ସମଗ୍ର ଦେଶର ନ୍ୟାୟାଳୟ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଆୟୋଜନ କରାଯିବାକୁ ଦାବୀ କରାଯାଇଛି । ଏହି ଅବସରରେ ଫୁଲବାଣୀ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀଙ୍କ ସମେତ ସମ୍ପାଦକ କମଳ ବେହେରା ଏବଂ ବାର ଆସୋସିଏସନର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।