ବାହୁଡା ଓ ସୁନାବେଶ ପାଇଁ ଆଡ଼ିସନାଲ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ସମୀକ୍ଷା ବୈଠକ

0 88

ପୁରୀ,୧୯/୭: ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ କିଭଳି କୋଭିଡ କଟକଣା ଭିତ୍ତିରେ ଶାନ୍ତି ଶୃଙ୍ଖଳାରେ ବାହୁଡାଯାତ୍ରା ଓ ସୁନାବେଶ ସମାପନ ହେବ ସେ ନେଇ ଆଡ଼ିସନାଲ ଡ଼ିଜି ରାଧାକୃଷ୍ଣ ଶର୍ମା ସମୀକ୍ଷା କରିଛନ୍ତି । ପୁରୀରେ ଏକ ସ୍ୱତନ୍ତ୍ର ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରାରେ କେତେକ କ୍ଷେତ୍ରରେ ଏସଓପି ଉଲ୍ଲଂଘନ ହୋଇଥିବା ଘଟଣା ନଜର ଆସିବା ପରେ ବାହୁଡା ଯାତ୍ରାରେ ଏହାର କିଭଳି ପୁନରାବୃତ୍ତି ନହେବ ସେ ନେଇ ଆଡିସନାଲ ଡ଼ିଜି ଆର କେ ଶର୍ମା ଗୁରୁତ୍ୱ ଦେଇଥିଲେ । ସେହିପରି ସେ ନିଜେ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ବାହୁଡା ଯାତ୍ରାରେ କିଭଳି ପୋଲିସ ବାହିନୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବେ ସେନେଇ ସମୀକ୍ଷା କରିଥିଲେ । ସୂଚନା ଅନୁଯାୟୀ ବାହୁଡାଯାତ୍ରା ଓ ପରଦିନ ସୁନାବେଶକୁ ଦୃଷ୍ଟିରେ ରଖାଯାଇ କୋଭିଡ କଟକଣା ପାଇଁ ସୋମବାର ରାତି ୮ ଟା ରୁ ବୁଧବାର ରାତି ୮ ଟା ଯାଏ ବଡ଼ ଦାଣ୍ଡରେ ୧୪୪ ଧାରା ରହିବ । କୌଣସି ଦୋକାନ , ବଜାର ଖୋଲିବନି । ସେହିପରି ବଡ଼ଦାଣ୍ଡରେ ଥିବା ସମସ୍ତ ଲଜ, ହୋଟେଲ , ଧର୍ମଶାଳାକୁ ପୁରୀ ପୋଲିସ ପକ୍ଷରୁ କର୍ଫ୍ୟୁ ସମୟରେ ସିଲ କରାଯିବ । ସେହିପରି ବଡ଼ ଦାଣ୍ଡରେ ଥିବା ଲୋକଙ୍କ ଘର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କୌଣସି ବ୍ୟକ୍ତି ଛାତ ଉପରେ କିମ୍ବା ଘର ବାଲକୋନିରେ ବାହୁଡା ଯାତ୍ରା ଦେଖି ପାରିବେନି । ଏନେଇ ପୋଲିସ ପକ୍ଷରୁ ଲୋକଙ୍କ ଘରକୁ ଘର ବୁଲି ପୋଲିସ ପକ୍ଷରୁ ଆଇନ ମାନିବାକୁ ସଚେତନ କରାଯାଇଛି । ତେବେ ପୁରୀ ସହରବାସୀ ପୂର୍ବରୁ ରଥଯାତ୍ରା ସମୟରେ ଯେଭଳି କଟକଣା ମାନି ଘରେ ରହିଥିଲେ ସେହି ସହଯୋଗ ପୁନର୍ବାର କରିବାକୁ ଆଡ଼ିସନାଲ ଡ଼ିଜି ଆରକେ ଶର୍ମା ଅପିଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =