ଜଗା ଦର୍ଶନକଲେ ସେବାୟତ ପରିବାର

0 71

ପୁରୀ,୧୨/୮- ଆସନ୍ତା ୧୬ ରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇସାରିଛି ଏସଓପି । ତେବେ ଏସଓପି ଅନୁଯାୟୀ ଆଜିଠାରୁ ସେବାୟତଙ୍କ ପରିବାରବର୍ଗ ମହାପ୍ରଭୁଙ୍କୁ ପ୍ରଥମେ ଦର୍ଶନ କରିଛନ୍ତି । ୧୨ ଓ ୧୩ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ । ପୁରୀ ପୌରାଞ୍ଚଳ ବାସିନ୍ଦା ମାନେ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ଆସନ୍ତା ୨୩ ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ତେବେ ଶନି ଓ ରବି ସପ୍ତାହନ୍ତ ସଟଡାଉନ ପାଇଁ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ତେବେ ଅକ୍ଟୋବର ମାସରେ କୋଭିଡ ସ୍ଥିତିକୁ ଦେଖି ପୁନର୍ବାର ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ପୁନର୍ବାର ନିଷ୍ପତ୍ତି ନିଆଯିବ । ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ସେମାନେ କୋଭିଡ କଟକଣା ମାନିବା ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକାର ପ୍ରମାଣପତ୍ର ସାଙ୍ଗରେ ଧରି ଆସିବେ । ମନ୍ଦିର ଭିତରେ ଭକ୍ତମାନେ କୌଣସି ଦେବାଦେବୀଙ୍କ ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ । ଫୁଲ, ଭୋଗ, ଦୀପ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ନେଇ ପାରିବେ ନାହିଁ । ପାନ, ଗୁଟଖା ସେବନ ଉପରେ କଟକଣା ଲଗାଯାଇଥିବା ବେଳେ ଏହାକୁ ଉଲ୍ଲଂଘନ କଲେ ୫ଶହ ଟଙ୍କା ଫାଇନ ରହିଛି । ଶ୍ରୀମନ୍ଦିର ଭିତରେ ପଲିଥିନ୍‌ ବ୍ୟାଗ ନିଷେଧ ଥିବାବେଳେ ଏହାକୁ ଉଲ୍ଲଂଘନ କଲେ ଏକଶହ ଟଙ୍କା ଫାଇନ ରହିଛି । ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ଥିବାବେଳେ ଭକ୍ତମାନେ କେବଳ ଭୋଗ ପାର୍ସଲ ନେଇପାରିବେ । ୬୫ ବର୍ଷରୁ ଉଦ୍ଧ୍ୱ ବ୍ୟକ୍ତି, ଏକାଧିକ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ପିଲାମାନେ କୋଭିଡ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ସେବାୟତଙ୍କ ପରିବାରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଯେକୌଣସି ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ସେବାୟତ ପରିବାର । ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଯାଇପାରିବେ । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେବାୟତଙ୍କ ପରିବାରବର୍ଗ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି ।

hiranchal ad1
Leave A Reply

Your email address will not be published.

13 − nine =