ଶ୍ରୀଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ଦାବୀ

0 78

ପୁରୀ,୯/୧୧- ପୁରୀର ନାଁ ପରିବର୍ତ୍ତନ ନୁହେଁ ବରଂ ଏହା ପୂର୍ବରୁ ଶ୍ରୀଜଗନ୍ନାଥ ବା ଶ୍ରୀଜଗନ୍ନାଥ ଧାମ ଯୋଡିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ପୁରୀର ଏକାଧିକ ସଂଗଠନ । ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଇତିହାସର ରେକର୍ଡ, ପୁରାଣ ଓ ଶାସ୍ତ୍ର ଆଧାର ଏବଂ ସାଂପ୍ରତିକ ସମୟରେ ନାମ ସଂଯୋଗର ଆବଶ୍ୟକତା ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ଏ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ଜିଲ୍ଲାପାଳ କହିଛନ୍ତି । ବୁଦ୍ଧିଜୀବୀଙ୍କ ତଥ୍ୟ ଅନୁଯାୟୀ ଇଂରେଜ ଶାସନ ସମୟରେ ୧୮୨୩ ମସିହା ଗ୍ରୁମ୍ସ ରିପୋର୍ଟ ଅନୁଯାୟୀ ଗେଜେଟିୟରରେ ପୁରୀର ନାମ ଜଗନ୍ନାଥ ପୁରୀ ବୋଲି ଉଲ୍ଲେଖ ରହିଥିଲା । ଏହାର ଇତିହାସ ଓ ରେକର୍ଡ ରହିଛି । ସେହିଭଳି ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର ବୋଲି ଉଲ୍ଲେଖ ରହିଛି । ବ୍ରିଟିଶ ଶାସନ ସମୟରେ ଏହି ଜଗନ୍ନାଥ (ପୁରୀ)ନାମକୁ ସଂକ୍ଷିପ୍ତ କରାଯାଇ ପୁରୀ କରାଯାଇଛି । ଭାରତବର୍ଷର ବିଭିନ୍ନ ଧାର୍ମିକ ସ୍ଥାନଗୁଡିକ ପୁରୀ(ନଗରୀ)ଶବ୍ଦ ଯୁକ୍ତ କରାଯାଇଛି । ଦ୍ୱାରିକା,କାଞ୍ଚି, ମାୟା, ଅବନ୍ତିକା ଏହାର ଉଦାହରଣ । ଏହି ଦୃଷ୍ଟାନ୍ତଙ୍କୁ ଗୁରୁତ୍ୱ ଦେଇ ପୁରୀର ନାମରେ ପରିପୂର୍ଣ୍ଣତା ତଥା ଆଧ୍ୟାତ୍ମିକତା ଆଣିବା ଶ୍ରୀଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ଦାବୀ କରିଛନ୍ତି ପୁରୀର ଅନେକ ସାମାଜିକ,ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ଗତକିଛି ଦିନ ହେବ ପୁରୀର ନାଁ ପରିବର୍ତ୍ତନ କିମ୍ବା ପୁରୀ ନାଁ ସହ ଶ୍ରୀଜଗନ୍ନାଥ କିମ୍ବା ଶ୍ରୀଜଗନ୍ନାଥ ଧାମ ଯୋଡିବା ଦାବୀ ଜୋର ଧରିଛି । ଅନେକ ଅନୁଷ୍ଠାନ, ବୁଦ୍ଧିଜୀବୀ, ସଂଗଠନ ସହ ରାଜନେତା ଏହାକୁ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ଅନୁଷ୍ଠାନ ପରିବର୍ତ୍ତନର ଆବଶ୍ୟକତା ନଥିବା ଯୁକ୍ତି ଦର୍ଶାଇଛନ୍ତି । ଏଭଳିକି ପୁରୀ ଗୋବର୍ଦ୍ଧନ ମଠର ପିଠାଧିଶ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରଥମ ଏହାର ଆବଶ୍ୟକତା ନଥିବା କହିଥିବାବେଳେ ପରେ ନାମ ସଂଯୋଗ କରାଗଲେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ । ଶ୍ରୀଜଗନ୍ନାଥଙ୍କ ବିନା ପୁରୀ, ଓଡିଶା କିମ୍ବା ଭାରତର ପରିଚୟ ନାହିଁ । ସେ ହିଁ ବିଶ୍ୱଦେବତା । ତେଣୁ ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ମତ ରଖିଛନ୍ତି ଅନେକ । ଐତିହାସିକ, ପୌରାଣିକ ଓ ଦେବତାଙ୍କୁ ନେଇ ଧାମ, ସଂସ୍କୃତି ,ଇତିହାସ ଓ ସ୍ୱାଭିମାନର ସୁରକ୍ଷା ପାଇଁ ପୁରୀ ନାମ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡିବା ଦାବୀ ଜୋର ଧରିଛି ।

hiranchal ad1
Leave A Reply

Your email address will not be published.

9 − 4 =