କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

0 289

ଭୁବନେଶ୍ୱର : ଯାତ୍ରା ଶୁଭାରମ୍ଭ ହେବା ପରେ ପ୍ରତିଦିନ ପ୍ରବାସୀ ଓଡିଆମାନେ ଘର ମୁହାଁ ହୋଇଛନ୍ତି । ଏହି ଅବସରରେ କେତେକ ପ୍ରବାସୀ ଓଡିଆ ଜନ୍ମମାଟିରେ ପାଦ ଦେବା ପରେ କ୍ୱାରେଣ୍ଟାଇନ ନିୟମକୁ ପାଳନ କରୁନଥିବା ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ କ୍ଷୁବ୍ଧ ହୋଇଛନ୍ତି । ଏହାଦ୍ୱାରା ରାଜ୍ୟବ୍ୟାପୀ ସଂକ୍ରମଣର ଭୟ ରହିବ ବୋଲି ସେ ଆଶଙ୍କା କରି ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରବାସୀ ଓଡିଆମାନେ ଓଡିଶାରେ କୋଭିଡ-୧୯ ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ରାଜ୍ୟକୁ ଫେରୁଛନ୍ତି ସେମାନେ କ୍ୱାରେଣ୍ଟାଇନ ନିୟମ ମାନିବା ଉଚିତ୍ । ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ବିନା ଗାଡି ପାସରେ ଆସୁଥିବା ପ୍ରବାସୀମାନଙ୍କୁ ରାଜ୍ୟ ମଧ୍ୟକୁ ଛଡାଯିବ ନାହିଁ । ଓଡିଆ ଭାଇଭଉଣୀମାନେ ସୁରୁଖୁରୁରେ ଆସନ୍ତୁ, ଏଥିନେଇ ସରକାର ସବୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ପ୍ରଶାସନ ତରଫରୁ ଏସ୍‌ଓପି ପାଳନ କରାଯାଉଛି । ପଞ୍ଚାୟତ ଓ ସହରାଞ୍ଚଳରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରଗୁଡିକୁ ଉନ୍ନତ କରାଯାଇଛି । ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ଅଟକ ପଡିଥିବା ପ୍ରବାସୀ ଓଡିଆମାନେ ଓଡିଶା ଫେରିଲେ କୌଣସି ସମସ୍ୟା ହେବ ନାହିଁ । ସ୍ୱତନ୍ତ୍ର ଟ୍ରେନ କେରଳରୁ ଆସି ଆଜି ଗଞ୍ଜାମର ଜଗନ୍ନାଥପୁର ଓ ଖୋର୍ଦ୍ଧା ରୋଡରେ ଅଟକିଛି । ଏଥିରେ ହଜାରେରୁ ଅଧିକ ଓହ୍ଲାଇଛନ୍ତି । ପ୍ରଶାସନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ବସଯୋଗେ ନିଜ ନିଜର ପଞ୍ଚାୟତକୁ ପଠାଯାଇ କ୍ୱାରେଣ୍ଟାଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ପ୍ରତ୍ୟେକ ପ୍ରବାସୀ ଓଡିଆ ସରକାରଙ୍କ ଶୃଙ୍ଖଳା ମାନି ରାଜ୍ୟବାସୀଙ୍କୁ ଆଶଙ୍କା ମୁକ୍ତ କରିବା ସରକାର ଚାହାଁନ୍ତି । ଏହାସତ୍ତ୍ୱେ କେତେକ ପ୍ରବାସୀ ଓଡିଆ ଫେରିବା ବେଳେ ନିର୍ଦ୍ଧାରିତ ରୁଟରେ ନ ଆସି ଅନ୍ୟ ରୁଟରେ ଆସୁଥିବାର ଖବର ମିଳୁଛି । ଏହା ସମସ୍ତଙ୍କୁ ବିପଦରେ ପକାଇବ । ପ୍ରତ୍ସାହନ ଅର୍ଥ ଏଭଳି ପ୍ରବାସୀଙ୍କୁ ମଧ୍ୟ ଦିଆଯିବ ନାହିଁ । ବସ୍ ପାସ୍ ପାଇନଥିବା ପ୍ରବାସୀମାନଙ୍କୁ ରାଜ୍ୟ ଭିତରକୁ ଛଡାଯିବ ନାହିଁ । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବାରୁ ସେମାନେ ଏହା ଉପରେ ଦୃଷ୍ଟି ରଖିବେ । ପ୍ରବାସୀ ଓଡିଆମାନେ କୌଣସି କୋଭିଡ ୧୯ ନିୟମର ଉଲ୍ଲଂଘନ ନକରି ସରକାରଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି । ନଚେତ୍ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ଚେତାଇ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × five =