ରଥକାଠ ଅନୁକୂଳ ପାଇଁ ବାହାରିଲା ଟିପଣା

0 212

ଦଶପଲ୍ଲା : ଆସନ୍ତା ୨୦୨୩ ମସିହାରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ପାଇଁ ଗତକାଲି ଶୁଭଦିନ ନିର୍ଘଣ୍ଟ କରାଯାଇଛି । ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳସ୍ଥିତ ମା ’ ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ । ଆବାହମାନ କାଳରୁ ଏହି କାଠକୁ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯାଉଛି । ମା ’ ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଲାଗିମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୋଇଥାଏ । ବିଶେଷକରି ଏହି ପୂଜା ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହୁଏ । ମା ’ ବଡ଼ରାଉଳଙ୍କ ପୀଠରେ ପୂଜାପରେ ମାଘ ମାସ ଶୁକ୍ଳ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା ଦିନ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁକୂଳ ପୂଜା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ବନାଞ୍ଚଳରୁ ରଥଖଳାରେ ପହଞ୍ଚିଥାଏ । ରଥଖଳାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୨ ଫୁଟ ଲମ୍ବର ୩ଟି ଧଉରା କାଠ ପହଞ୍ଚିବାର ନିୟମ ରହିଛି । ଯାହାକୁ ନେଇ ଆଜି ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ୍‌ ମଲିକ ଏବଂ ଅବସରପ୍ରାପ୍ତ ବନପାଳ ତଥା ଗଣକ ପ୍ରଫୁଲ୍ଲ କୁମାର ଦାଶ, ପୂର୍ବତନ ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ , ମା ’ ବଡ଼ରାଉଳଙ୍କ ରଥକାଠ ଅନୁକୂଳ ପୂଜକ ଗଣିଆ ବ୍ରାହ୍ମଣ ଶାସନ ସାହିସ୍ଥିତ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ପାଞ୍ଜି ଗଣନା କରି ଶୁଭଦିନ ନିର୍ଦ୍ଧାରଣ କରିଛନ୍ତି । ପୂଜାପାଇଁ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି ।ବିଶେଷକରି ମଙ୍ଗଳବାର ଦିନ ଏହି ପୂଜାନୀତି ଅନୁଷ୍ଠିତ ହେଉଥିବା ବେଳେ ଚଳିତମାସ ୨୭ ତାରିଖ ଏବଂ ଆସନ୍ତା ଜାନୁଆରୀ ୩ ତାରିଖ ପାଇଁ ଶୁଭଦିନ ନିର୍ଘଣ୍ଟ କରାଯାଇଛି । ପୂଜକଙ୍କ ଏହି ଟିପଣୀକୁ ବନାଞ୍ଚଳ ଅଧିକାରୀ ଶ୍ରୀ ମଲିକ ବନଖଣ୍ଡ ଅଧିକାରୀଙ୍କ ନିକଟକୁ ପଠାଇବା ପରେ ଶ୍ରୀ ମନ୍ଦିର ପ୍ରଶାସକ ନିକଟକୁ ଏହାକୁ ସେ ପଠାଇବେ । ଏହି ଦୁଇଟି ଦିନ ମଧ୍ୟରୁ ଯେ କୌଣସି ଗୋଟିଏ ଦିନ ଶ୍ରୀ ମନ୍ଦିର ପ୍ରଶାସକ ଧାର୍ଯ୍ୟ କରିବେ । ମା ’ ବଡ଼ରାଉଳଙ୍କ ପୀଠରେ ପ୍ରଭୁ ଜଗନ୍ନାଥଙ୍କ ଲାଗିମାଳ ପହଞ୍ଚିବା ପରେ ପୂଜା ଉତ୍ସବ ଅନୁଷ୍ଠିତ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

5 × 1 =