ଜିଲ୍ଳା ବିଜେପିର ସାମ୍ବାଦିକ ସମ୍ମିଳନୀ, ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେବାକୁ ଅଗଷ୍ଟ ୨୦ରେ ରାୟଗଡ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ

0 84

ରାୟଗଡ/୧୬/୮: ଆସନ୍ତା ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାୟଗଡ ଗସ୍ତନେଇ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ଅଗଷ୍ଟ ୧୯ତାରିଖରୁ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏଥିରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ । ଏହି କ୍ରମରେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା ଜନ ଆର୍ଶିବାଦ ଯାତ୍ରା କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସୁଥିବାରୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଳା ବିଜେପି ସଭାପତି ଶିବ ପଟ୍ଟନାୟକ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀଙ୍କ ଗସ୍ତ ସଂପୂର୍ଣ୍ଣ ଭାବେ ଦଳୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଜିଲ୍ଳାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ସଂଗଠନଗୁଡିକ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧି ଭାବେ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖେ ବସନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସଭାପତି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବେଷ୍ଣବ ୨୦ତାରିଖ ଭୋର ୪ଟା ୪୫ମି.ରେ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍‌ ରାୟଗଡ ରେଳ ଷ୍ଟେସନରେ ଓହ୍ଳାଇ ସାର୍କିଟ ହାଉସରେ ଯାଇ ବିଶ୍ରାମ ନେବା ପରେ ସକାଳ ସାଢେ ୮ଟାରେ ଏକ ବିଶାଳ ବାଇକ,ଅଟୋ ରାଲି ଯୋଗେ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କୁ ଦର୍ଶନ କରି ମନ୍ଦିର ପରିଦର୍ଶନ କରି ସେଠାରେ ଅନୁଷ୍ଠିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ତା’ପରେ ସେଠାରୁ ଜନ ଆର୍ଶିବାଦ ଯାତ୍ରାରେ ଯୋଗ ଦେଇ ସହରର ମୁଖ୍ୟ ରାସ୍ତାରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିବେ । ପୁଣି ସାର୍କିଟ ହାଉସ ଫେରି ସେଠାରେ ପିଏମଏୱାଇ ହିତାଧିକାରୀମାନଙ୍କୁ ସାକ୍ଷାତ କରିବେ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚନ ଦେଇଛନ୍ତି । ସେହିପରି ହୋଟେଲ ତେଜସ୍ୱୀ ଠାରେ ମନ୍ତ୍ରୀ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ବ୍ୟବସ୍ଥା ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପରେ ଗୁମ୍ମା,କୁମ୍ଭିକୋଟା ଓ ରାଫକଣା ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଥିବା ବେଳେ ସେଠାରୁ ମନ୍ତ୍ରୀ କୋରାପୁଟ ଜିଲ୍ଲା ଅଭିମୁଖେ ଯାତ୍ରା କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ସାଧାରଣ ସଂପାଦକ କିଶୋରଚନ୍ଦ୍ର ପଣ୍ଡା,ଜିଲ୍ଳା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟାଭୂଷଣ ପଣ୍ଡା,ନଗର ସଭାପତି ଶ୍ୟାମ କୁମାର ଦାସ,ଅଜୟ ଚୁଲେଟ୍‌,ରାଜେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

five × 1 =