ନଦୀ ଜଳ ଧୋଇ ନେଇଗଲା ପୋଡାମରା ଗାଁର ଅସ୍ଥାୟୀ ପୋଲ: ଗାଁକୁ ନାହିଁ ପକ୍କାରାସ୍ତା,ସରକାରୀ ରାସ୍ତା ଖୋଜୁଛନ୍ତି ଗ୍ରାମବାସୀ

0 79

ରାୟଗଡ/୧୬/୮: ଦୀର୍ଘବର୍ଷରୁ ଗାଁକୁ ନାହିଁ ପକ୍କାରାସ୍ତାଟିଏ । ମାଧ୍ୟମ ସାଜିଛି ଝଂଜାବତୀ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ । ଯାହରକି ଥିଲା ପୋଡାମରା ଗାଁର ବିକାଶର ରାସ୍ତା । ତେବେ ଦୁଇଦିନ ତଳେ ଉପରମୁଣ୍ଡରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଝଂଜାବତୀ ନଦୀରେ ବଢିପାଣି ଆସି ଅସ୍ଥାୟୀ ପୋଲକୁ ଧୋଇ ନେଇଯାଇଛି । ଫଳରେ ଗ୍ରାମବାସୀମାନେ ଏବେ ବିଚ୍ଛିନ୍ନାଞ୍ଚଳ ବାସିନ୍ଦା ଭାବେ ରହିଛନ୍ତି । ଯାତାୟାତ କରିବାରେ ଭୋଗୁଛନ୍ତି ଅସୁବିଧା । ରାୟଗଡ ଜିଲ୍ଳା ସଦର ବ୍ଳକର କୁମ୍ଭିକୋଟା ଗ୍ରାମ ପଂଚାୟତ ସଦର ମହକୁମା ଠାରୁ ମାତ୍ର ୨କିଲୋମିଟର ଦୂରରେ ରହିଛି ଏହି ପୋଡାମରା ଗ୍ରାମ । ଏହି ଗାଁରେ ରହୁଛନ୍ତି ଶହେ ଘର ପରିବାରର ୫ଶହରୁ ଉର୍ଦ୍ଧ ଲୋକେ । ଗାଁର ବିକାଶକୁ ଆଗେଇ ନେବାପାଇଁ ଗମନାଗମନ ଦୃଷ୍ଟିରୁ ଉଭୟ ଗ୍ରାମବାସୀ ଓ ପ୍ରଶାସନ ଏହି ଅସ୍ଥାୟୀ ପୋଲ ଉପରେ ନିର୍ଭର କରୁଥିଲେ । କୁମ୍ଭିକୋଟା ଠାରୁ ଅସ୍ଥାୟୀ ପୋଲ ପର୍ଯ୍ୟନ୍ତ ଥିବା ଦୂରତା ମଧ୍ୟରେ କୁମ୍ଭିକୋଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ଜାଗା ରହୁଥିବାରୁ ସେ ନିଜ ଜାଗାରେ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଉ ନ ଥିବାରୁ ଦୀର୍ଘ ବର୍ଷ ଧରି ପକ୍କାରାସ୍ତାଟିଏ ନିର୍ମାଣ ହୋଇପାରୁ ନଥିବା ଗ୍ରାମର ବୃନ୍ଦା ବିଭର,ସତ୍ୟ ବିଭର,ଜିତେନ୍ଦ୍ର ବାତ୍ରା,ସନ୍ତୋଷ ବିଭରଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି । ଫଳରେ ପକ୍କାରାସ୍ତା ନ ଥିବାରୁ ବର୍ଷ ତମାମ ଖାଲଢିପ ଭରା କଚ୍‌ଚା ମାଟିରାସ୍ତା ଉପରେ ନିର୍ଭର କରି ଚଳୁଛନ୍ତି ପୋଡମରା ଗ୍ରାମବାସୀ । ଗାଁକୁ ସିଧାସଳଖ ସଂଯୋଗ କରିବା ପାଇଁ ଏକ ପକ୍କାରାସ୍ତା ଏବଂ କୁମ୍ଭିକୋଟା-ପୋଡମରା ମଧ୍ୟରେ ପ୍ରବାହିତ ହେଉଥିବା ଝଂଜାବତୀ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ପଂଚାୟତ,ବ୍ଳକ ଓ ଜିଲ୍ଳା ପ୍ରଶାସନ ଠାରେ ଦାବି କରି ଆସୁଥିଲେ ସୁଦ୍ଧା କେହି ହେଲେ ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦେଉ ନ ଥିବା ନେଇ ଗ୍ରାମର ଆଶିଷ ବିଭୋର,ଅଜୟ ବିଭୋର,ଅରୁଣ ବିଭୋରଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି । ବର୍ତମାନ ଅସ୍ଥାୟୀ ପୋଲ ଭାସି ଯାଇଥିବାରୁ ଗାଁକୁ ଦୁଇଚକିଆ ଗାଡିରେ ଯାତାୟାତ ମଧ୍ୟ ସମ୍ଭବପର ହୋଇ ପାରୁ ନ ଥିବା ବେଳେ କୋଭିଡ କଟକଣା କୋହଳ ପରେ ନବମ ଓ ଦଶମ ଶ୍ରେଣୀର ପାଠପଢା ଆରମ୍ଭ ହୋଇଥିବା ବେଳେ ଗ୍ରାମର ଛାତ୍ରଛାତ୍ରୀମାନେ ପାଠପଢାରୁ ମଧ୍ୟ ବଂଚିତ ହେଉଛନ୍ତି । ସେହିପରି ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଯୋଗାଇବା ମଧ୍ୟ ସମ୍ଭବପରେ ହୋଇ ପାରୁନାହିଁ । ଗର୍ଭବତୀ ମହିଳା ଓ ଅନ୍ୟରୋଗୀଙ୍କୁ ଖଟରେ ତଥା ଭାରରେ ବୋହି ନଦୀ ପାର ହୋଇ ଗ୍ରାମବାସୀମାନେ କୁମ୍ଭିକୋଟାକୁ ଆସି ଆମ୍ବୁଲାନ୍ସ ଯୋଗେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ତେବେ ପୋଡମରା ଗ୍ରାମର ରାସ୍ତା ଓ ପୋଲ ନିର୍ମାଣ ବିଷୟକୁ ନେଇ ରାୟଗଡ ବ୍ଳକ ବିଡିଓ ଲକ୍ଷ୍ମୀକାନ୍ତ ସାବତଙ୍କୁ ପଚାରିବାରୁ ତୁରନ୍ତ ଅସ୍ଥାୟୀ ପୋଲର ମରାମତି କରାଯାଇ ଗ୍ରାମବାସୀମାନଙ୍କ ଯାତାୟାତକୁ ସୁବିଧା କରାଯିବ ସହ ପକ୍କାରାସ୍ତା ନିର୍ମାଣ ପାଇଁ କିଛି ସମସ୍ୟା ରହୁଥିବାରୁ ତାହାକୁ ଗ୍ରାମବାସୀ ଓ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 4 =