ବୌଦ୍ଧ: ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସ୍ଥାନୀୟ କଚେରୀ ପଡିଆଠାରେ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ ପଡ଼ିଆରେ ଜିଲ୍ଲାର ବିଭିନ୍ନ ଶାଖାରୁ ଶତାଧିକ ସ୍ୱୟଂ ସେବକ ଉପସ୍ଥିତ ରହି ଯୋଗ ଆସନ, ସାମୁହିକ ଦଣ୍ଡ, ସମତା, ଦଣ୍ଡ ବ୍ୟାୟାମ ଯୋଗ, ପ୍ରଦର୍ଶନ କରିବା ସହ ସମସ୍ତ ସ୍ୱୟଂସେବକ ଘୋଷ ବାଦ୍ୟ ସହ ଏକ ଭବ୍ୟ ପଥ ସଂଚଳନ ନଗର ପରିକ୍ରମା କରିଥିଲେ । ଯାହାକୁ ନଗରବାସୀ କଳସ ବସାଇ ପୁଷ୍ପ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।
ଦ୍ୱିତୀୟ ଦିବସ ଅପରାହ୍ନ ରେ ପଡ଼ିଆରେ ଅନୁଷ୍ଠିତ ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗ ଦେଇ ରାଷ୍ଟ୍ରୀୟ ନବ ବର୍ଷକୁ ସ୍ୱାଗତ କରିବାସହ ସଂଘର କାର୍ଯ୍ୟ ଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପଶ୍ଚିମର ସହ ପ୍ରାନ୍ତ ପ୍ରଚାରକ ଶଙ୍କର କୁମାର ପଣ୍ଡା ଯୋଗ ଦେଇ ରାଷ୍ଟ୍ରୀୟ ନବ ବର୍ଷର ବୈଜ୍ଞାନିକତା ଆଲୋଚନା କରିବା ସହ ସଂଘର କାର୍ଯ୍ୟ ଧାରା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଜିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼ ଅତିଥି ପରିଚୟ କରିଥିଲାବେଳେ ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମୁଖ୍ୟ ଶିକ୍ଷକ ଭାବେ ଜୟଦେବ ରଣା, ପ୍ରାର୍ଥନା ପ୍ରମୁଖ ଭାବେ ଶିଣ୍ଟୁ ମହାକୁଡ଼, ବ୍ୟକ୍ତିଗତ ଗୀତ ଲକ୍ଷ୍ମୀକାନ୍ତ ଜାନୀ ସହଯୋଗ କରିଥିଲେ । ବିଭାଗ ପ୍ରଚାରକ ପ୍ରଣବ କୁମାର ନାୟକ,ସହ ବିଭାଗ ପ୍ରଚାରକ ସନ୍ତୋଷ କୁମାର ବେହେରା, ଲକ୍ଷ୍ମଣ କୁମାର ନାୟକ, ନଗର ବ୍ୟବସ୍ଥା ପ୍ରମୁଖ ପ୍ରଦୀପ କୁମାର ସାଥୁଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।