ସମ୍ବଲପୁର ସାଂସ୍କୃତିକ ପରିଷଦ ଓ ଚିନ୍ମୟ ସାହିତ୍ୟ ସଂସଦ ପକ୍ଷରୁ ସମ୍ବଲପୁରୀ ଦିନ

0 26

ସମ୍ବଲପୁର : ସ୍ଥାନୀୟ ସମ୍ବଲପୁର ସାଂସ୍କୃତିକ ପରିଷଦ ଓ ଚିନ୍ମୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସମ୍ବଲପୁରୀ ଦିନ ଉପଲକ୍ଷେ ସାହିତ୍ୟ ସଭାରେ ଜାତୀୟ କବି ସତ୍ୟନାରାୟଣଙ୍କ ସାହିତ୍ୟ ଚର୍ଚ୍ଚା, ସମ୍ବର୍ଦ୍ଧନା ଓ କବିତା ଆବୃତ୍ତି ହୋଇଯାଇଛି। ପ୍ରାକ୍ତନ ଅଧ୍ୟାପିକା ଡ. ବୀଣାପାଣି ପ୍ରଧାନ ଓ ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ କବି ସତ୍ୟନାରାୟଣଙ୍କ କାବ୍ୟ ମାନସ ସଂପର୍କରେ ବିଶଦ ଆଲୋଚନା କରିଥିଲେ। ଶ୍ରୀମତି ଭାରତୀ ସେଠଙ୍କ ଆବାହନାରେ ଓ ଡ. ସପନ ମିଶ୍ରଙ୍କ ସଂଯୋଜନାରେ ଜୟନ୍ତୀ ସଭା ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ୫୦ରୁ ଉର୍ଦ୍ଦ୍ବ କବି ନିଜସ୍ବ ରଚିତ ସମ୍ବଲପୁରୀ କବିତା ପାଠ କରିଥିଲେ। ସାଧକ ଶ୍ରୀ ସଦାନନ୍ଦ ପଣ୍ଡା ଓ ଶ୍ରୀମତି ଭାରତୀ ପଣ୍ଡା ମଞ୍ଚ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରେରଣ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷା ସାମଗ୍ରୀ ପ୍ରସ୍ତୁତ କରିବାକୁ ଓଡ଼ିଶା ସରକାରଙ୍କ ସ୍କୁଲ୍‌ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସ୍ମାରକ ପତ୍ର ପଠାଇବାକୁ ମଧ୍ୟ ସ୍ଥିର ହୋଇଛି। ଓଡ଼ିଶା ରାଜ୍ୟରେ ଉର୍ଦ୍ଦୁ ଏକାଡ଼େମୀ ରହିଛି ଓ ସେହିପରି ସମ୍ବଲ୍‌ପୁରୀ ଭାଷା-ସାହିତ୍ୟ ପାଖାପାଖି ଦୁଇ କୋଟି ଲୋକ ବ୍ୟବହାର କରୁଥିବାରୂ ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଏକାଡ଼େମୀ ଗଠନକରି ସମ୍ବଲପୁରୀ ଭାଷା-ସାହିତ୍ୟ ପୁସ୍ତକ ପ୍ରକାଶନ ସହିତ ଏହି ଭାଷାର ପ୍ରତୀଭା ସମ୍ପନ୍ନ କବି ଓ ଲେଖକଙ୍କ ପାଇଁ ପୁରସ୍କାର, ସମର୍ଦ୍ଧନା କରିବା ପାଇଁ ଯୋଜନା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ର ସାହିତ୍ୟ ଏକାଡ଼େମୀ ମଧ୍ୟ ଅନୁରୂପ ଭାବରେ ସୂଚୀବଦ୍ଧ (ସିଡ୍ୟୁଲ) ଭାଷା ବ୍ୟତୀତ ଅନ୍ୟାନ୍ୟ ଭାଷା ପାଇଁ ଦେଉଥିବା ପ୍ରୋତ୍ସାହନ ଭଳି ସମ୍ବଲ୍‌ପୁରୀ ଭାଷା-ସାହିତ୍ୟ ପାଇଁ ପୁସ୍ତକ ପ୍ରକାଶନ ସହିତ କବି-ଲେଖକଙ୍କୁ ସମ୍ବର୍ଦ୍ଧନା ପ୍ରଭୃତି ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁରୋଧ କରାଯାଇଛି। ବାସ୍ତବରେ ଏହାହିଁ ସମ୍ବଲ୍‌ପୁରୀ ଭାଷା ସହିତ ସତ୍ୟନାରାୟଣ ବହିଦାରଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଂଜଳି ହେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ସାହିତ୍ୟ ସଭାରେ କବିଙ୍କର କବିତା ଆବୃତ୍ତି କରାଯାଇଥିଲା। ଏହି ଅବସରରେ ଯୋଗାଚାର୍ଯ୍ୟ ଡ. ଜୟଦେବ ଡନ୍‌ସନା, ଡ. ବୀଣାପାଣି ପ୍ରଧାନଙ୍କୁ ‘ସତ୍ୟନାରାୟଣ ଭାଷା-ସାହିତ୍ୟ-ଅସ୍ମିତା ସନ୍‌ମାନ୍‌’ ପ୍ରଦାନ କରାଯାଇଥିଲା। ସେହିପରି କବି ସତ୍ୟନାରାୟଣଙ୍କ ଅନ୍ୟ ସାହିତ୍ୟ ସହଯୋଗୀ ସାହିତ୍ୟିକ ସ୍ବର୍ଗତ ଭବାନୀ ଶଙ୍କର ପ୍ରଧାନଙ୍କ ନାମରେ ନାମିତ ‘ଭବାନୀଶଙ୍କର ଭାଷା-ସାହିତ୍ୟ-ଅସ୍ମିତା ସନ୍‌ମାନ୍‌’ ସଙ୍ଗୀତ ବିଶାରଦ ମୋତିଲାଲ୍ ଦୋରା ଓ ମୋହନ ସେଠଙ୍କୁ ପ୍ରଦାନ କରାଯାଇଥିଲା। ବର୍ଷିଆନ୍‌ ରଙ୍ଗ କଳାକାର ଭୋଳାନାଥ ନାୟକ ଓ ଅନ୍ୟମାନେ କବିଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ କବିଙ୍କର “ସମ୍ବଲପୁରର ମାଟିପାନି ଝର୍‌ସି ହୀରା ନୀଲା” କବିତା ସଙ୍ଗୀତ ସହିତ ପରିବେଷଣ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

15 − 3 =