ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

0 64

ବାରିପଦା : ଅନେକ ଅଭୁଲା ଓ ଶୃତିମଧୁର ଓଡ଼ିଆ ଫିଲ୍ମ ଗୀତର ସ୍ୱର ସଂଯୋଜକ ଓ ଗୀତିକାର ସରୋଜ ପଟ୍ଟନାୟକ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦଶକଙ୍କର ପରଲୋକ ଘଟିଛି । ବାରିପଦା ସ୍ଥିତ ତାଙ୍କ ବାସଭବନରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଖବର ଜଣାପଡ଼ିବା ପରେ ଚଳଚ୍ଚିତ୍ର ଓ ସଂଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସରୋଜ ପଟ୍ଟନାୟକ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର । କିନ୍ତୁ ବୃତ୍ତିରେ ସେ ଥିଲେ ଜଣେ ସିଭିଲ୍‌ ଇଞ୍ଜନିୟର । ୧୯୪୦ ମସିହା ଜୁନ୍‌ ୨ ତାରିଖରେ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ ଖରିଥିଲେ । ପିଲାବେଳୁ ସଙ୍ଗୀତ ପ୍ରତି ତାଙ୍କର ଥିଲା ଗଭୀର ଆକର୍ଷଣ । ତାଙ୍କ ବଡ ଭଉଣୀ କବିତା ପଟ୍ଟନାୟକଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ୧୯୫୮-୫୯ମସିହାରୁ ତାଙ୍କ ଗୀତ ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ । ୧୯୭୭ ମସିହାରେ ‘ଅଭିମାନ’ ଜରିଆରେ ସେ ଓଡିଆ ଚଳଚ୍‌ଚିତ୍ର ଜଗତରେ ପାଦ ଥାପିଥିଲେ । ଏହି ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପ୍ରଯୋଜକ ଗଣେଶ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ଭାବେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ‘ଫୁଲ ଚନ୍ଦନ’ (୧୯୮୨), ‘ଝିଅଟି ସୀତା ପରି’ (୧୯୮୩), ‘ଅଭିଳାଷ’ ଓ ‘ହାକିମ ବାବୁ’ (୧୯୮୫) ଭଳି ହିଟ୍‌ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ‘ଅଭିଳାଷ’ ଫିଲ୍ମ ପାଇଁ ସେ ଗୀତ ମଧ୍ୟ ଲେଖିଥିଲେ । ସେହିପରି ‘ମୋ ମନ ଖାଲି ତୋରି ପାଇଁ’ (୧୯୯୫), ‘ତୁମେ ହିଁ ସାଥୀ ମୋର’ (୨୦୦୯) ଫିଲ୍ମରେ ସେ ଗୀତ ଲେଖିବା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ‘ଏଇ ସଂଘର୍ଷ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୧୯୯୨ ମସିହାରେ ରିଲିଜ୍‌ ହୋଇଥିବା ‘ଭିନ୍ନ ସମୟ’ରେ ସେ ଅଭିନୟ ମଧ୍ୟ କରିଥିଲେ । ‘ଫୁଲ ଚନ୍ଦନ’ ଓ ‘ଅଭିଳାଷ’ ଫିଲ୍ମ ପାଇଁ ଶ୍ରେଷ୍ଠ ସଙ୍ଗୀତକାର ଭାବେ ସେ ରାଜ୍ୟ ଚଳଚ୍ଚ଼ିତ୍ର ପୁରସ୍କାର ପାଇଥିଲେ । ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ବହୁ ଲୋକପ୍ରିୟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ । ଏହା ସହିତ ଅନେକ ନାଟକ,ଟିଭି ସିରିଏଲ୍‌ ଓ ଟେଲି ଫିଲ୍ମ ଆଦିରେ ମଧ୍ୟ ସଙ୍ଗୀତ ନିର୍ଦ୍ଦଶନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − twelve =