ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲା ଭାଜପା

0 150

ସମ୍ବଲପୁର,୨୬/୮- ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଶେଷରେ ସମ୍ବଲପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଏବିଷୟରେ ଜଣାଇଛି । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପାର କିଛି ନେତା ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଏହି ଦଳରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ଜିଲ୍ଲା ସଭାପତି ଗିରିଶ ପଟେଲ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ପାର୍ଟିର ବରିଷ୍ଠ ନେତା ଫଣି ଭୂଷଣ ମିଶ୍ର ପ୍ରମୁଖ ସାମିଲ ଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଓଡିଶାରୁ ପ୍ରତିନିଧିତ୍ୱ କରୁଥୁବା ଦୁଇ କେନ୍ଦ୍ର ମନ୍ତ୍ରୀ ଙ୍କୁ ମଧ୍ୟ ଏହି ଅନୁରୋଧ ପତ୍ରର ଅବିକଳ ନକଲ ପତ୍ର ପଠାଯାଇଛି । ଏଥିରେ ଅଭିଯୋଗ ଅନୁସାରେ ବର୍ତ୍ତମାନ ବ୍ୟାପ୍ତ ଦୁର୍ନୀତି, ଭ୍ରଷ୍ଟାଚାର ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ଗୋଟିଏ ପଟେ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ରାଜ୍ୟର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବିଶେଷ କରି ରାଜ୍ୟର ପଶ୍ଚିମାଞ୍ଚଳ ସଦା ସର୍ବଦା ପରି ଚିରାଚରିତ ଢଙ୍ଗରେ ଆଜି ବି ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବର ଶିକାର ହେବା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧା ଓ ଦୁଃଖଯନ୍ତ୍ରଣା ଭୋଗ କରୁଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାର ଆର୍ଥିକ, ସାଂସ୍କୃତିକ, ସାମାଜିକ, ଭୌଗଳିକ, ରାଜନୈତିକ, ବ୍ୟବସାୟିକ ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ନିଜେ କୋମାରେ ପଡି ରହିଛି । ଏଭଳି ସ୍ୱାସ୍ଥ୍ୟ ଆପାତକାଳ ସମୟରେ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଅଞ୍ଚଳରୁ ଶତାଧିକ ସଂଖ୍ୟକ ଡାକ୍ତରଙ୍କୁ ବଦଳି କରେଇ ନେବା ନିହାତି ଭାବରେ ଦୁର୍ଭାଗ୍ୟପୂର୍ଣ, ନିନ୍ଦନୀୟ, ହାସ୍ୟାସ୍ପଦ ଓ ରାଜ୍ୟ ସରକାରଙ୍କ ଲୋକମାରଣା ନୀତିର ପରିଚୟ । ବର୍ତ୍ତମାନ ପରିସ୍ଥିତିରେ ଯେଉଁ ମାତ୍ରାରେ କୋଭିଡ ପରୀକ୍ଷାର ଆବଶ୍ୟକତା ରହିଛି ତାର ବ୍ୟବସ୍ଥା କରାଯାଇ ନାହିଁ । ସ୍ୱାବ ପରୀକ୍ଷାର ରିପୋର୍ଟ ବିଳମ୍ବରେ ଆସୁଥୁବାରୁ ପୋଜିଟିଭ ଥିବା ରୋଗୀମାନେ ମଧ୍ୟ ରିପୋର୍ଟ ଆସିବା ଯାଏଁ ନିଶ୍ଚିନ୍ତ ହୋଇ ସମାଜରେ ଖୋଲା ଖୋଲି ମିଳାମିଶା କରୁଛନ୍ତି । ଯାହା ଫଳରେ ସଂକ୍ରମଣ ସଂଖ୍ୟା ଅକାରଣରେ ବୃଦ୍ଧି ପାଉଛି । ଜିଲ୍ଲାର କୋଭିଡ ଚିକିତ୍ସାଳୟରେ କେବଳ ଦୁଇ ତିନି ଜଣ ଆବାସିକ ଡାକ୍ତର ନିଯୁକ୍ତି ହୋଇଛନ୍ତି । କୌଣସି ବିଶେଷଜ୍ଞ ରହୁନଥିବା ଫଳରେ ବିଭିନ୍ନ ବିଶେଷ ପୀଡ଼ିତ ରୋଗୀ ଯେପରି କି ହୃଦରୋଗୀ, ଯକୃତ ରୋଗୀ, କର୍କଟ ରୋଗୀ, ସ୍ନାୟୁ ରୋଗୀ, ବୃକକ ରୋଗୀ ଭଳି ଅନେକ ରୋଗୀ ଚିକିତ୍ସା ସୁବିଧା ପାଇନପାରି ମୃତ୍ୟୁବରଣ କରୁଛନ୍ତି । ଜିଲ୍ଲାରେ ବର୍ତ୍ତମାନ ଅଣକୋଭିଡ ରୋଗୀଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ । ସାଧାରଣ ଜ୍ୱର, କାଶ, ଝାଡା, ବାନ୍ତି ଓ ଦୁର୍ଘଟଣା ଆଦିରେ ପୀଡ଼ିତ ରୋଗୀ ଓ ଅନ୍ୟାନ୍ୟ ଆଶୁଚିକିତ୍ସା ପାଇଁ ଆସୁଥୁବା ରୋଗୀଙ୍କୁ ନା କୌଣସି ସରକାରୀ ନା କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳି ପାରୁଛି । କୋଭିଡ ପରୀକ୍ଷଣ କରି ତାଙ୍କୁ ଏଣେ ତେଣେ ପଠେଇ ଦିଆଯାଉଛି ଯାହା ଫଳରେ ରୋଗୀ ଓ ତାଙ୍କ ପରିଜନ ହଇରାଣ ହେବା ସହ ସ୍ଥାନ ବିଶେଷରେ ରୋଗୀର ଅବସ୍ଥା ଗୁରୁତର ହୋଇ ରୋଗୀ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ମହାମାରୀ ଅଧିନିୟମ ଯୋଗୁଁ ବିଭିନ୍ନ ପ୍ରକାର କଟକଣା ଜାରି ରହିଛି । ଏଣୁ ପ୍ରଶାସନ କିମ୍ବା ରାଜ୍ୟ ସରକାରକୁ ଚେତେଇଲା ଭଳି କୌଣସି ଆନ୍ଦୋଳନ, ବିକ୍ଷୋଭ, ଘେରାଉ, ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ କରାଯାଇପାରୁନାହିଁ । ରାଜ୍ୟ ସରକାରଙ୍କ ଇଙ୍ଗିତରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଧ୍ୟ ବିଶ୍ୱାସକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସାମିଲ କରୁନାହାନ୍ତି ବୋଲି ଏହି ପତ୍ରରେ ଅଭିଯୋଗ କରାଯାଇଛି ।

hiranchal ad1
Leave A Reply

Your email address will not be published.

two + 5 =