ସମ୍ବଲପୁର, ୯/୭- ସ୍ଥାନୀୟ ଶିକ୍ଷାନଗରୀ ବୁର୍ଲାରେ ଘଟିଥିବା ଏକ ବଡ଼ ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସକୁ ସଫଳତା ମିଳିଛି । ପ୍ରାୟ ଦୁଇ ମାସ ପୂର୍ବେ ଘଟିଥିବା ଏହି ମାମଲାରେ ୨ ଜଣ ନାବାଳକ ସହିତ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ତିନିଭରିର ସୁନା ଅଳଙ୍କାର, ଦୁଇଟି ସୁନାଚେନ ଓ ଗୋଟିଏ ସୁନା ମୁଦି ସହିତ ୫,୫୦୦ ଟଙ୍କା ଜବତ କରାଯାଇଛି । ଏହି ବିଷୟରେ ପୁଲିସ କହିବା ଅନୁସାରେ ଗିରଫ ବ୍ୟକ୍ତି ସଞ୍ଜୟ ସା (୨୯), ମହେନ୍ଦ୍ର ଡାକୁଆ (୨୮) ଓ ମହମ୍ମଦ ସୁଲେମାନ (୨୨) ରୂପେ ଚିହ୍ନଟ କରାଯାଇଛି ଓ ସେମାନେ ୩ଜଣ ସେଠାକାର ବୁର୍ଲା ନିବାସୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସେଠାକାର ବିଷ୍ଣୁମନ୍ଦିର ପଡା ନିବାସୀ ରାଜେନ୍ଦ୍ର ପାତ୍ରଙ୍କ ଘରଛାତ ତାଡି ୧୫ ଭରିର ସୁନା ଅଳଙ୍କାର, ୫ କେଜିର ରୂପା ସାମଗ୍ରୀ ଓ ୪୦ ହଜାର ଟଙ୍କା ନଗଦ ଚୋରି ବିଷୟରେ ଗତ ମେ ୨୬ ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା ।
ଉକ୍ତ ଚୋରି ଘଟଣା ସମୟରେ ଘରେ କେହି ନ ଥିଲେ ଓ କୋଭିଡ ଚିକିତ୍ସା ପାଇଁ ଘରର ସମସ୍ତେ ବ୍ରହ୍ମପୁର ଯାଇଥିଲେ । ଆରଦିନ ସକାଳୁ ପଡୋଶୀ ଲୋକଙ୍କ ଠାରୁ ଏବିଷୟରେ ଖବର ପାଇ ସଙ୍ଗେ ସଙ୍ଗେ ଫେରି ଆସି ବୁର୍ଲା ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୁଲିସ ଏହାର ତଦନ୍ତ ଜାରି ରଖି ବିଳମ୍ବରେ ହେଲେ ମଧ୍ୟ ଚୋରକୁ ଧରିବାରେ ସଫଳତା ହାସଲ କରିଛି ।