ସୁବର୍ଣ୍ଣପୁର ଜିଲ୍ଲା ଯାଦୁଗର ସଂଘ ପକ୍ଷରୁ ୨ଦିନିଆ ସର୍ବଭାରତୀୟ ଯାଦୁଗର ସମ୍ମିଳନୀ

0 143

ସୁବର୍ଣ୍ଣପୁର,୨୯/୧୦- ଯାଦୁ ଆଖି ଦେଖେ ହେଲେ ବିଶ୍ୱାସ ହୁଏ ନାହିଁ । କିଭଳି ଏପରି ଅଲୌକିକ ଘଟଣା ଆଖି ସାମ୍ନାରେ ହେଉଛି ମନ ତାର କାରଣ ଖୋଜି ଥାଏ । ଅନେକ ଦିନ ଯାଏଁ ମନରୁ ଯାଦୁଗରଟିଏ ଯାଦୁଗରୀ କୌଶଳରେ ପ୍ରଦର୍ଶିତ କରିଥିବା ଅବିଶ୍ୱାସନୀୟ ଓ ଅଲୌକିକ ଘଟଣା ମନରେ ଉଙ୍କି ମାରେ । ଉତ୍କଣ୍ଠାରେ କୁରୁଳିଉଠେ ସମସ୍ତଙ୍କର ମନ । ସୋ ସରିଯାଏ ସିନା ଇଚ୍ଛାସବୁ ଲାଘବ ହୋଇପାରେନା । ତେବେ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଆଣି ପ୍ରଦର୍ଶନ ଓ ଏକ କର୍ମଶାଳାର ଆୟୋଜନ କରିଛି ଜିଲ୍ଲା ଯାଦୁଗର ସଂଘ । ପୁଣି ଥରେ ଦ୍ୱିତୀୟ ଥର ପାଇଁ ଯାଦୁ ଓ ଯାଦୁଗରୀ ଶିକ୍ଷାର ଆୟୋଜନ ପାଇଁ ସଂଘ ପ୍ରସ୍ତୁତି ସାରିଛି । ଦୁଇ ଦିନ ପାଇଁ ଆୟୋଜିତ ହେବାକୁ ଥିବା ଯାଦୁଗର ସମ୍ମିଳନୀ ଅବା ଯାଦୁଗର ଭେଟଘାଟ କାର୍ଯ୍ୟକ୍ରମରେ ସର୍ବ ଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଯାଦୁଗରମାନେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଭବନ ଠାରେ ଦୁଇଦିନିଆଁ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ଯାଦୁଗର ଏହି ସମ୍ମିଳନୀରେ ଯୋଗଦେଇ ନିଜ ନିଜର ଯାଦୁଖେଳ ପ୍ରଦର୍ଶନ କରିବେ । ସେହିପରି ବରିଷ୍ଠ ଯାଦୁଗର ମାନେ ଅନ୍ୟାନ୍ୟ ଯାଦୁଗର ମାନଙ୍କୁ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ପ୍ରକାରର ଯାଦୁର ପ୍ରଶିକ୍ଷଣ ପ୍ରଦାନ କରିବେ । ତେବେ ଯାଦୁ ପ୍ରଦର୍ଶନୀ ପାଇଁ କମିଟି ପକ୍ଷରୁ ପାସ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ମାଗଣାରେ ପାସ ନେଇ ନିର୍ଦ୍ଧାରିତ ଯାଗାରେ ବସି ଶାନ୍ତି ଶୃଙ୍ଖଳାରେ ଯାଦୁ ଦେଖିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସମ୍ମିଳନୀରେ ଭାରତ ବର୍ଷର ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ରର ପୁନା ପ୍ରଭୃତି ରାଜ୍ୟର ଯାଦୁଗର ମାନେ ଭାଗନେବାକୁ ଥିବାରୁ ଅନେକ ଦର୍ଶକ ଖୁବ୍‌ ଉତ୍ସାହିତଥିବା ଦେଖାଯାଉଛି । ପ୍ରଥମ ବର୍ଷ ଆକର୍ଷଣୀୟ ଯାଦୁ ପ୍ରଦର୍ଶନ କରି ଯାଦୁଗର ମାନେ ବେଶ ପ୍ରଶଂସା ସାଉଁଟି ଥିବା ବେଳେ ଏଥର ହଜ଼ାର ହଜ଼ାର ସଂଖ୍ୟାରେ ଜନସାଧାରଣଙ୍କ ମନ ମୋହିନେବାରେ ସକ୍ଷମ ହେବେ ବୋଲି ସଭାପତି ଯଦୁନାଥ ମିଶ୍ର, ସଂପାଦକ ସଂଜୟ କୁମାର ସାହୁ ଓ କୋଶଳେଶ୍ୱର ଭୋଇଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

2 × 3 =