ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

0 90

ସୁବର୍ଣ୍ଣପୁର,୬/୬ – ଡୁଙ୍ଗୁରିପାଲି ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବ୍ଲକ ସଭାଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଜିଲ୍ଲା ତଥା ବ୍ଲକସ୍ତରରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମ୍ପର୍କରେ ଉପସ୍ଥିତ ସରପଞ୍ଚ ଙ୍କ ସହ ସବିଶେଷ ଆଲୋଚନା କରିବାସହ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ସମସ୍ତ ଜନପ୍ରତିନିଧି ମାନଙ୍କ ସହଯୋଗ ଲୋଡ଼ିଥିଲେ । ଏହାସହିତ ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀ ମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଅଣାଯିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ବାଲ୍ୟବିବାହ ତଥା କିଶୋରୀ ମାତୃତ୍ୱକୁ ଗୁରୁତ୍ୱାରୋପ ପୂର୍ବକ ସରପଞ୍ଚ ମାନେ ନିଜନିଜ ପଞ୍ଚାୟତ ସ୍ତରରେ ବିଭିନ୍ନ ବୈଠକ ଅନୁଷ୍ଠିତ କରି ସଚେତନତା କରିବାସହ ପ୍ରତିମାସ ନିଜ ପଞ୍ଚାୟତରେ କୌଣସି ବାଲ୍ୟ ବିବାହ ହେଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି ପୁନଶ୍ଚ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହେଉଥିବା ପ୍ରତିଟି ବିବାହର ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ରଖିବାକୁ ପରାମର୍ଶ ଦେବାସହିତ ଏହି ମହତ କାର୍ଯ୍ୟରେ ସମସ୍ତେ ଆନ୍ତରିକତାର ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦାନ କରି ବାଲ୍ୟବିବାହର ଆଇନଗତ ଦିଗ ଓ ଶିଶୁ ଯୌନ ନିର୍ଯ୍ୟାତନା ଅଧୀନରେ ଆସୁଥିବା ଦଣ୍ଡବିଧାନ ଉପରେ ଆଲୋକପାତ କରି ସରପଞ୍ଚ ମାନଙ୍କ ସହଯୋଗରେ ପ୍ରଶାସନ ବାଲ୍ୟବିବାହକୁ ଜିଲ୍ଲା ତଥା ବ୍ଲକରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ବୋଲି କହିବାସହ ବାଲ୍ୟବିବାହର ନିରାକରଣରେ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚ ମାନଙ୍କ ଆବଶ୍ୟକତାକୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସି ଡି ପି ଓ ଜୟନ୍ତୀ ଗଡତିଆ ତଥା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − thirteen =