ପାଣିରେ ପଡିଲା ସାଢେ ତିନିକୋଟି ଟଙ୍କା: ପ୍ରଶାସନିକ ଅବହେଳା ଯୋଗୁଁ କାମରେ ଆସୁନି ସନ୍ତରଣାଗାର

0 330

ସୁବର୍ଣ୍ଣପୁର,୨୭/୯- ସହରରେ ଏକମାତ୍ର ନିର୍ମାଣାଧୀନ ସନ୍ତରଣାଗାର ବିଗତ ୪ ବର୍ଷ ହେଲାଣି କାମ ଆରମ୍ଭ ହୋଇଥିଲେହେଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉକ୍ତ କାମ ସରିନଥିବାବେଳେ ନିମ୍ନମାନର କାମ ଯୋଗୁଁ ଖରାପ ହୋଇ ବସିଲାଣି । ଫଳରେ କ୍ରୀଡାବିତମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ରାଜ୍ୟ ସରକାରଙ୍କ କଥା ଓ କାମ ଭିତରେ ଥିବା ପାର୍ଥକ୍ୟ ଜଳଜଳ ହୋଇ ଦିଶୁଛି ସୁବର୍ଣ୍ଣପୁରରେ କ୍ରୀଡା ଭିତ୍ତିଭୂମିର ବିକାଶକୁ ନେଇ । ସୁବର୍ଣ୍ଣପୁର ସହରର ରାମେଶ୍ୱର ଷ୍ଟାଡିୟମ ପରିସରରେ ନିର୍ମାଣ ହୋଇଛି ବିଜୁ ପଟ୍ଟନାୟକ ସନ୍ତରଣାଗାର । ହେଲେ ନିର୍ମାଣର ଚାରିବର୍ଷ ପରେ ମଧ୍ୟ କାମ ସରିନଥିବାବେଳେ କ୍ରୀଡାବିତଙ୍କ କାମରେ ଆସୁନାହିଁ ଏହା । ମୋଟ ୩ କୋଟି ୭୪ ଲକ୍ଷ ଟଙ୍କାରେ ଇଡକୋ ନିର୍ମାଣ କରୁଥିବା ଏହି ସନ୍ତରଣାଗାର ଏବେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ସେପଟେ ନିମ୍ନମାନର କାମ ଯୋଗୁଁ ଅନେକ ସ୍ଥାନରେ କାନ୍ଥ ଫାଟିଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସନ୍ତରଣାଗାର ହେଲେ ଜିଲ୍ଲାର କ୍ରୀଡାବିତମାନେ ଉପକୃତ ହେବା ଆଶା ରଖିଥିଲେ ହେଁ ତାହା ହୋଇପାରୁନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଜିଲ୍ଲାରେ ସ୍ଥାୟୀ କ୍ରୀଡା ଅଧିକାରୀ ନଥିବାରୁ ଅନେକ ସମୟରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରିଛନ୍ତି କ୍ରୀଡା ଶିକ୍ଷକମାନେ । କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ଡିଣ୍ଡିିମ ପିଟୁଥିବାବେଳେ ବାସ୍ତବରେ ତାହା ହେଉନଥିବା ଅଭିଯୋଗ ହୋଇଛି । କେବଳ ଠିକାଦାରମାନଙ୍କୁ ପୋଷିବାପାଇଁ ଯୋଜନା ତିଆରି ହେଉଛି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜିବୀ । କୋଟିକୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ସନ୍ତରଣାଗାର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଜିଲ୍ଲାର ଯୁବକ୍ରୀଡା ପ୍ରେମୀ ।

hiranchal ad1
Leave A Reply

Your email address will not be published.

1 × four =