ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର

0 105

ସୁବର୍ଣ୍ଣପୁର,୨୩/୮- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜିଲ୍ଲାସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ ପେଣ୍ଡାରକର ନିଶୁଳ୍କ ଭାବରେ ଏହି ଶିବିରରେ ରୋଗୀମାନଙ୍କୁ ନିଜର ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇଥିଲା । ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ୨୪ ଜଣ ରୋଗୀଙ୍କ ସହିତ ଡ. ପେଣ୍ଡାରକର ଅତି ଅମାୟିକ ଭାବରେ ମିଶିବା ସହ ଧୈର୍ଯ୍ୟର ସହିତ ସେମାନଙ୍କର ସୁବିଧା ଅସୁବିଧା ବୁଝି ସେମାନଙ୍କ ମନରେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବାପାଇଁ ନୂତନ ଆଶା ସଂଚାର କରାଇପାରିଛନ୍ତି । ଏହି ଶିବିରରେ ସିଡିଏମଓ ଡ. ଦିଲ୍ଲୀପ କୁମାର ପଣ୍ଡା, ଡିଏମଓଏମଏସ ଡ. ପ୍ରଦିପ କୁମାର ଗୁରୁ, ଡିପିଏଚଓ ଡ. ରମେଶ ଚନ୍ଦ୍ର ସ୍ୱାଇଁ, ଡିଏଲଓ ଡ. ତ୍ରିବିକ୍ରମ ପାଣ୍ଡିଆ, ଡିଟିବିଓ ଡ. ପଦ୍ମହଂସା ଡୋରା, ଏମଓ ଡ. ପାର୍ଥପ୍ରତିମ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା କ୍ୟାନସର ନୋଡାଲ୍‌ ଅଫିସର ଡ. ନରେନ୍ଦ୍ର ମେହେର ଡ. ପେଣ୍ଡାରକରଙ୍କ ଠାରୁ ଆବଶ୍ୟକ ଉପଦେଶ ଗ୍ରହଣ କରି ଏଠାକାର ରୋଗୀମାନଙ୍କୁ ପରବର୍ତ୍ତୀ ସେବା ଯୋଗାଇଦେବେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଷ୍ଟାଫ୍‌ ନର୍ସ ଏଲି ଭଞ୍ଜ, ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ନାରାୟଣ ରଥ, ସମିର କୁମାର ନାୟକ ସହଯୋଗ କରିଥିଲେ । ଏହି ଅବସରରେ ଡ. ପେଣ୍ଡାରକର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସାକ୍ଷାତକାର ଦେଇ କର୍କଟରୋଗ ନିରାକରଣ ଦିଗରେ ଓଡିଶା ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ସୂଚନା ଦେଇଥିଲେ ଯେ ଓଡିଶା ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲାରେ କର୍କଟରୋଗ ନିରୂପଣ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବେ । ଏହାଦ୍ୱାରା ରୋଗୀମାନଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତ ସହର ମାନଙ୍କୁ ଆବଶ୍ୟକ ଚିକିତ୍ସା କିମ୍ବା ପରାମର୍ଶ ପାଇଁ ଯିବାକୁ ପଡିବ ନାହିଁ । ଏହି ଶିବିରରେ ଯୋଗଦାନ କରିଥିବା ସମସ୍ତ ରୋଗୀ ତଥା ସୁବର୍ଣପୁର ଜନସାଧାରଣ ସରକାରଙ୍କ ଏହି ମହତ୍‌ କାର୍ଯ୍ୟକୁ ସ୍ୱାଗତ କରିବା ସହିତ ଜିଲ୍ଲା ପ୍ରଶାସନର ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − eight =