ଅବ୍ୟବସ୍ଥା ଘେରରେ ମହାରାଜା ଉଚ୍ଚବିଦ୍ୟାଳୟ

0 104

ସୁବର୍ଣ୍ଣପୁର,୩୦/୧୨- ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱହେଲା ମହାରାଜା ଉଚ୍ଚବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ନାହାନ୍ତି । ରାଜ୍ୟର ଶତାୟୁ ଏହି ଶିକ୍ଷା ଅନୁଷ୍ଠାନ ଏବେ ବିନା କିରାଣୀରେ ଚାଲୁଛି । ଆବଶ୍ୟକ ଶିକ୍ଷକ ଅଭାବରେ ଏହି ପୁରାତନ ଶିକ୍ଷାନୁଷ୍ଠାନର ଶୈକ୍ଷିକ ସୌଧ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏଠାରେ ବିଜ୍ଞାନ ପରୀକ୍ଷାଗାର, ପାଠାଗାର ଭଳି ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଛାତ୍ର, ଶିକ୍ଷକ, ଅଭିଭାବକ ତଥା ସାଧାରଣ ଜନତା ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି । ପ୍ରକାଶ ଥାଉକି ନିକଟ ଅତୀତରେ ପ୍ରଧାନ ଶିକ୍ଷକ ବିନା ଏହି ଅନୁଷ୍ଠାନର ଶତବାର୍ଷିକୀ ଉତ୍ସବ ଅତି କଷ୍ଟରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ପାଳନ କରାଯାଇଥିଲା । ଜଣେ ନିୟମିତ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି ସକାଶେ ପୁରାତନ ଛାତ୍ରସଂଘ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏ ସମ୍ପର୍କରେ ବହୁ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ବାରମ୍ବାର ଆକର୍ଷଣ କରାଯାଇଆସୁଛି । ଆସନ୍ତା ୧ ମାସ ମଧ୍ୟରେ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତି ନହେଲେ ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେବାକୁ ଗତକାଲି ପୁରାତନ ଛାତ୍ରସଂଘର ଏକ ଜରୁରୀ କାର୍ଯ୍ୟକାରୀ କମିଟି ବୈଠକରେ ସର୍ବସମ୍ମତ ପ୍ରକାଶ ପାଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ମୋ ସ୍କୁଲ ଅଭିଯାନ ତଥା ବିଦ୍ୟାଳୟର ଉନ୍ନତି ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ କର୍ଣ୍ଣ ବିବରଣୀ ଉପସ୍ଥାପିତ କରିଥିଲେ । ସଂଘର ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ସଭ୍ୟ କଇରୁ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ, ଇଂ. ଶ୍ୟାମସୁନ୍ଦର ଅଗ୍ରୱାଲ, ରଘୁନାଥ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ନିତ୍ୟାନନ୍ଦ ମାଝୀ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ଏଥିରେ ସଂଘର ସଭାପତି ଗୋରେଖନାଥ ସାହୁ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ବ୍ୟୋମକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × four =