ସୁବର୍ଣ୍ଣପୁର: ଠିକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋନପୁରରେ ଓଡିଶା ଯାଦବ ମହାସଂଘର ସଂପାଦକ ବଳରାମ ସିଂହ ଯାଦବଙ୍କ ଉପସ୍ଥିତି ରାଜନୈତିକ ମହଲରେ ଖୁବ୍ ଆଲୋଡନ ସୃଷ୍ଟି କରିଛି । ବଳରାମଙ୍କ ସହ ସଂଘର ବରିଷ୍ଠ କର୍ମକର୍ତ୍ତା ମାନେ ରୁଦ୍ଧ ଦ୍ୱାର ବୈଠକ କରି ଜିଲ୍ଲାର ରାଜନୈତିକ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି । ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ବିରୋଧୀ ଭାବେ ଜଣାଶୁଣା ସୁବର୍ଣ୍ଣପୁର ଜିଲ୍ଲାର ନେତା ମାନେ ବଳରାମ ସିଂହ ଯାଦବଙ୍କ ସହ ଭେଟଘାଟ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି । ସାଂସଦଙ୍କ ବିରୋଧୀ ଗୋଷ୍ଠୀ ପୁଣି ଥରେ ସକ୍ରିୟ ହୋଇ ଉଠିଥିବା ନେଇ ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି । ପୂର୍ବତନ ବିଜେପି ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ, ସୋନପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ନବକୃଷ୍ଣ ଦନ୍ତା, ବରିଷ୍ଠ ସଂଘ କର୍ମକର୍ତ୍ତା ସୁରେଶ ମିଶ୍ର, ବ୍ୟାସଦେବ ମିଶ୍ର ପ୍ରମୁଖଙ୍କ ସହ ବଳରାମ ଆଲୋଚନା କରିଛନ୍ତି । ସୋନପୁରର ଜଣେ ପୂର୍ବତନ ବିଧାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିବା ନେଇ ଚର୍ଚ୍ଚା ହେଉଛି ।
ତେବେ ସୁରେଶ ମିଶ୍ରଙ୍କ ଝିଅ ବାହାଘରରେ ସମସ୍ତେ ଏକାଠି ହୋଇଥିଲେ ମଧ୍ୟ ଏହା ଚଳିତ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ପାଞ୍ଚ ଦିନ ପୂର୍ବରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଉପସ୍ଥିତିରେ ଚଣ୍ଡୀଗଡଠାରେ ବିଜେପିରେ ସାମିଲ ହୋଇଥିଲେ ବଳରାମ ସିଂହ ଯାଦବ । ବଳରାମଙ୍କ ବିଜେପିରେ ଯୋଗଦାନ ପରେ ସଙ୍ଗୀତାଙ୍କ ବିରୋଧୀ ବିଜେପି ଗୋଷ୍ଠୀ ଖୁବ୍ ଉତ୍ସାହିତ ଥିବା ଜଣା ପଡିଛି । ତେବେ ଦେଖିବାକୁ ରହିଲା ବଳରାମଙ୍କ ସୋନପୁର ଗସ୍ତର ପ୍ରଭାବ ବିରୋଧୀଙ୍କୁ କେତେ ସୁହାଉଛି ।
Sign in
Sign in
Recover your password.
A password will be e-mailed to you.