ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ

0 15

ଓଡିଆ ଅସ୍ମିତା ଓ ସ୍ବାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ୱର : ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବର ପ୍ରତ୍ୟେକ ଭାରତବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ମହାନ୍ ସ୍ବାଧୀନତା ସଙ୍ଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି I ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ନେତୃବୃନ୍ଦ ତ୍ୟାଗ ଓ ସଂଗ୍ରାମର ପରାକାଷ୍ଠା ଦେଖାଇ ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ମା’ ରମାଦେବୀ, ବିଜୁ ପଟ୍ଟନାୟକଙ୍କ ପରି ମହାନୁଭବଙ୍କ ଅସୀମ ବଳିଦାନକୁ ମନେ ପକାଇ ସେମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତର ସ୍ଵାଧୀନତା ସଂଗ୍ରାମ ସାରା ବିଶ୍ଵ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ମାତ୍ର ଦଶ ବର୍ଷ ଭିତରେ ଭାରତବର୍ଷ ବିଶ୍ଵ ଅର୍ଥନୀତିରେ ଏକାଦଶ ସ୍ଥାନରୁ ଆସି, ଆଜି ବିଶ୍ଵର ପଞ୍ଚମ ବୃହତ୍ ଅର୍ଥନୀତିରେ ପହଞ୍ଚି ପାରିଛି। ଖୁବ୍ ଶୀଘ୍ର ବିଶ୍ଵର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ଆମେ ସ୍ଥାନ ହାସଲ କରିବା I ଆତଙ୍କବାଦ ଦମନ ଓ ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ଆମେ ଉଚ୍ଚ ସଫଳତା ହାସଲ କରିଛୁ। ସାରା ବିଶ୍ଵ ଆଜି ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ବ ଆଶା କରୁଛି ଓ ତାର ନେତୃତ୍ବକୁ ସମ୍ମାନ ମଧ୍ୟ ଦେଉଛି। ଭାରତର ସ୍ୱାଧୀନତାର ଶତବାର୍ଷିକୀ ଅବସରରେ, ୨୦୪୭ ମସିହା ସୁଦ୍ଧା ଆମେ ନିଶ୍ଚିତ ଭାବରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇବୁ ଏବଂ ଭାରତକୁ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ କରିବୁ। ଓଡ଼ିଶାବାସୀ ସ୍ଵାଭିମାନୀ, ଇତିହାସ ଏହାର ସାକ୍ଷୀ ରହିଛି। ଏଇ ମାଟି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିଥିଲା। ଅଶୋକ, କଳିଙ୍ଗ ମାଟିର ଇତିହାସ ପରିବର୍ତ୍ତନ କରିବାକୁ ଆସିଥିଲେ। କିନ୍ତୁ ଏଠାରେ ତାଙ୍କର ହୃଦୟ ପରିବର୍ତ୍ତନ ହୋଇଯାଇଥିଲା। ଏହାର ଅନେକ ବର୍ଷ ପରେ ସମ୍ରାଟ ଖାରବେଳ, ମଗଧ ବିଜୟ କରି କଳିଙ୍ଗର ପରାକାଷ୍ଠା ଦେଖାଇ ଥିଲେ ଏବଂ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ, କେବଳ ଓଡ଼ିଶା ପାଇଁ ନୁହେଁ ସାରା ଦେଶକୁ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ମଧ୍ୟ ରାସ୍ତା ଦେଖାଇ ଥିଲେ I

ଯେତେବେଳେ ବି ଓଡ଼ିଆ ଅସ୍ମିତା ଉପରେ କୁଠାରାଘାତ ହୋଇଛି, ସେତେବେଳେ ଏ ଜାତିରେ ନୂଆ ଜାଗରଣ ଆସିଛି। ଓଡ଼ିଆ ଜାତି ସଂଗ୍ରାମ କରି ନିଜ ଅସ୍ମିତାର ପୁନଃ ପ୍ରତିଷ୍ଠା କରିଛି। ଓଡ଼ିଆ ଜାତି ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛି। ଓଡିଆ ଅସ୍ମିତା ଓ ସ୍ବାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ଶପଥ ନେଇଛି। ଏହି ନୂଆ ଯାତ୍ରାରେ ଆମକୁ ଯେଉଁ ଦାୟିତ୍ଵ ମିଳିଛି, ଆମେ ତାକୁ କାୟ, ମନ ଓ ବାକ୍ୟରେ ପାଳନ କରିବୁ ବୋଲି କହିଛନ୍ତି। ଆଉ ସେ କହିଛନ୍ତି ମୁଁ, ମାଟିର ମଣିଷ। ଏ ମାଟି, ମୋର ମା’ । ମୁଁ, ଖାଣ୍ଟି ଓଡ଼ିଆ। ମୋ ମାଟିର ସ୍ବାର୍ଥ ପାଇଁ, ମୁଁ ଲଢେଇ କରିବା ଜାଣିଛି। ମୋ ମାଟିର ପୁଅ ଝିଅଙ୍କ ପାଇଁ କାମ କରିବା ଜାଣିଛି। ମୁଁ ବଡ଼ ବଡ଼ ସ୍ବପ୍ନ ଦେଖାଇବାରେ ବିଶ୍ବାସ କରେ ନାହିଁ । କିନ୍ତୁ ଯାହା ପ୍ରତିଶୃତି ଦେବି, ତାକୁ ନିଶ୍ଚୟ ପାଳନ କରିବି। ଆପଣଙ୍କ ସରକାର ଆପଣଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ତାକୁ ଗୋଟିଏ ଗୋଟିଏ କରି ପାଳନ କରି ଚାଲିଛନ୍ତି, ଆମର ପ୍ରତିଶୃତି ପଥରରେ ଅଙ୍କା ହୋଇଥିବା ଚିତ୍ର ପରି। ମହାପ୍ରଭୁଙ୍କ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ପ୍ରସ୍ତୁତ କରିବା ଆଦି ଅନେକ ପ୍ରତିଶୃତି ଆମେ ପ୍ରଥମ ୬୦ ଦିନରେ ପାଳନ କରିସାରିଛୁ। ଆମର କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ମୁଖ୍ୟ ସଂକଳ୍ପ। ଶାସନର ୧୦୦ ଦିନ ମଧ୍ୟରେ ଏହି ଦୁଇଟି ପ୍ରତିଶୃତି ପୂରଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ବଜେଟରେ ଏଥିପାଇଁ ବିଧିବଦ୍ଧ ଭାବେ ଅର୍ଥ ବରାଦ କରାଯାଇଛି। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଅର୍ଥ ବରାଦ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସ ଅବସରରେ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ଗରିମାମୟ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯିବା ପାଇଁ କାର୍ଯ୍ୟକ୍ରମ ରଖାଯାଇଛି। ଆମର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶାର ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରିବ ଏବଂ ଆମକୁ ବିକାଶ ପଥରେ ଆଗେଇ ନେବ। ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡିଶା ସମୃଦ୍ଧ ହେବ। କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ଆମର ଲକ୍ଷ୍ୟ। ସେଥିପାଇଁ, ଆଦିବାସୀବହୁଳ ଜିଲ୍ଲା ମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ପଦକ୍ଷେପ ନେଉଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି। ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବାପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

hiring

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ଗୁରୁ ମନ୍ତ୍ର ଦେଇଛନ୍ତି। ସେଇ ମନ୍ତ୍ରରେ ଦୀକ୍ଷିତ ହୋଇ, ସମସ୍ତଙ୍କୁ ସାମିଲ କରି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶୃତିବଦ୍ଧ I ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ- ଏ ସବୁ ଲକ୍ଷ୍ୟ ପୂରଣ ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତାହାସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକଯୁବତୀ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ରାଜ୍ୟରେ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ସହଜ ଭାବରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯେଉଁଥିରେ କୌଣସି ଯୋଗ୍ୟ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ। ବିକାଶର ରାସ୍ତାରେ ଆମେ ୩ଟି ବଡ ମାଇଲଖୁଣ୍ଟ ଧାର୍ଯ୍ୟ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କ୍ରମରେ ବିକଶିତ ଭାରତର ବିସ୍ତୃତ ସ୍ୱରୂପ ମଧ୍ୟରେ ଆମକୁ ଓଡିଶାର ବିକାଶକୁ ଆଗେଇ ନେଇ ୨୦୩୬ ମଧ୍ୟରେ ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ। ଆମର ଚିନ୍ତା ଓ ଚେତନାରେ କେବଳ ଗୋଟିଏ ଲକ୍ଷ୍ୟ ରହିଛି, ତାହା ହେଉଛି, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରି ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ। ଏଥିପାଇଁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ପୂର୍ବୋଦୟ’ ଉପରେ ଅନେକ ଗୁରୁତ୍ବାରୋପ କରି ଆସୁଛନ୍ତି। ଦେଶର ବିକାଶର ରେଳ ଗାଡ଼ିରେ ଓଡ଼ିଶା ପ୍ରଥମ ବଗି ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ବିକାଶର ଡବଲ ଇଞ୍ଜିନ ମଡେଲ ଯେ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ, ଏଥିରେ ସନ୍ଦେହ ନାହିଁ।

ଓଡ଼ିଶାକୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦ୍ୱାରଦେଶ ରୂପେ ବିକଶିତ କରିବା ଆମର ଲକ୍ଷ୍ୟ। ସେଥିପାଇଁ ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମିର ସୁବିନିଯୋଗ କରି ବନ୍ଦର ଓ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାହେଉଛି। ଏଥିପାଇଁ ସଡ଼କ ପଥ, ରେଳପଥ, ଶିଳ୍ପାଞ୍ଚଳ, ବିଦ୍ୟୁତ୍ ଗ୍ରୀଡ ଆଦି ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ। ନିକଟରେ ରେଳ ମନ୍ତ୍ରାଳୟ, ଓଡ଼ିଶା ପାଇଁ ୬ଟି ଗୁରୁତ୍ଵପୂର୍ଣ୍ଣ ରେଳପଥ ପ୍ରକଳ୍ପ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୬ ଗୋଟି ପ୍ରକଳ୍ପ ଦକ୍ଷିଣ ତଥା ଉତ୍ତର ଓଡିଶାର ଅନେକ ଆଦିବାସୀ ବହୁଳ ଜିଲ୍ଲାମାନଙ୍କୁ ରେଳପଥରେ ସଂଯୋଗ କରି, ବିକାଶ ପଥରେ ସାମିଲ ହେବାର ପଥ ଉନ୍ମୁକ୍ତ କରିବ। ଏହାସହିତ ଓଡିଶାରେ ନୂତନ ଜାତୀୟ ରାଜପଥର ନିର୍ମାଣ ତଥା ଉନ୍ନତିକରଣ ପାଇଁ ୨୧,୬୫୦ କୋଟି ଟଙ୍କାର ବହୁବିଧ ପ୍ରକଳ୍ପ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ଭାରତ ସରକାରଙ୍କୁ ଦିଆଯାଇଛି। ଓଡ଼ିଶାର ବେଳାଭୂମି ଓ ଜଳ ସମ୍ପଦର ବିକାଶ ମାଧ୍ୟମରେ ନୀଳ ଅର୍ଥନୀତି (Blue Economy)ର ବିକାଶ ମଧ୍ୟ ଆମର ଅନ୍ୟତମ ଲକ୍ଷ୍ୟ। ଅନୁସୂଚିତ ଜାତି ଓ ଜନଜାତି ହେଉଛନ୍ତି ଆମ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ବିକାଶ ନିତାନ୍ତ ଆବଶ୍ୟକ। ସେଥିପାଇଁ ଅନେକ ଯୋଜନା ଆରମ୍ଭ କରାହୋଇଥିବାର ମୁଖ୍ୟମନ୍ତ୍ରୀ ମୋହନ ମଝୀ କହିଛନ୍ତି I ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ‘ପି. ଏମ. ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(PVTG) ବର୍ଗର ଜନଜାତି ମାନଙ୍କର ସାମଗ୍ରିକ ବିକାଶ କରାଯିବ। ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ଜନଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ପାଠପଢା ଅଧାରୁ ସ୍କୁଲ ଛାଡିବା ସମସ୍ୟା ଦୂର ହୋଇପାରିବ। ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ। ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିଛୁ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆହୋଇଛି I

ମୁଖ୍ୟମନ୍ତ୍ରୀ ଆଜିର ପବିତ୍ର ଦିନରେ ପୁଣି ଥରେ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି କ୍ରୀଡାର ବିକାଶ ବିନା ଯୁବଶକ୍ତିର ବିକାଶ ଅସମ୍ଭବ। ପ୍ୟାରିସ୍‌ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ଦେଶର ଗୌରବ ବଢାଇଛନ୍ତି। ହକି ଦଳର ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କ ପାଇଁ ସାରା ଓଡିଶା ଆଜି ଗର୍ବିତ। ରାଜ୍ୟରେ କ୍ରୀଡାର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରେ ୧୨୦ ଏକର ଅଞ୍ଚଳ ପରିବ୍ୟାପ୍ତ ଏକ ନୂତନ ବିଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିଅମ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ Indoor Velodrome, Mountain Biking, Swimming Pool, Football Ground, Archery Arena, Badminton Court ତଥା Fitness Park, ଯେଉଁଥିରେ ଖେଳାଳୀ ମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଭ୍ୟାସ କରିପାରିବେ। ଏହାସହିତ ପ୍ରତି ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜାତୀୟ ସ୍ତରୀୟ ଷ୍ଟାଡିଅମ ନିର୍ମାଣ କରିବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍‌ ସମୟସୀମାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ରାଜ୍ୟର ମେଧାବୀ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆହୋଇଛି I

ମୁଖ୍ୟମନ୍ତ୍ରୀ ଦେଶର ସୁରକ୍ଷା କ୍ଷେତ୍ରରେ ଧ୍ୟାନ ଦେଇ କହିଛନ୍ତି ଅଗ୍ନିବୀର୍‌ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଓଡିଶାର ଯେଉଁ ଅଗ୍ନିବୀର୍‌ମାନେ ନିଜ କାର୍ଯ୍ୟକାଳ ଅବଧି ପରେ ସେନା ବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ, ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆମର ଏହି ସବୁ ଯୋଜନା ମାଧ୍ୟମରେ ଓଡିଶାର ପ୍ରତ୍ୟେକ ସ୍ତରରେ ବିକାଶର ଏକ ନୂଆ ଧାରା ସୃଷ୍ଟି ହେବ। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ କରାଯିବ, ଯେଉଁଥିରେ Semi Conductor ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ଦୁଇ ଦଶନ୍ଧି ଓଡିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ। ସେଥିପାଇଁ, ଦୁଇଟି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାହେଉଛି, ଗୋଟିଏ ୨୦୩୬ ପାଇଁ ଓ ଆଉ ଗୋଟିଏ ୨୦୪୭ ପାଇଁ। ଏହା ଓଡିଶାର ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ କରାଯିବ। ଏଥିପାଇଁ, ଏକ ୱେବ ପୋର୍ଟାଲ ପ୍ରସ୍ତୁତ କରାହୋଇଛି। ସ୍ଵର୍ଣ୍ଣିମ ଅଧ୍ୟାୟର ଉପକ୍ରମ ଏହି ୫ ବର୍ଷ ମଧ୍ୟରେ ଲେଖିବାକୁ ହେବ। ଆମ ପାଖରେ ସମୟ ବହୁତ କମ୍‌। ରାଜ୍ୟବାସୀ ଯେଉଁ ସୁଯୋଗ ଦେଇଛନ୍ତି, ତା’ର ପ୍ରତି ମିନିଟ୍, ପ୍ରତି ସେକେଣ୍ଡର ସଦୁପଯୋଗ କରିବା ପାଇଁ ଆମେ ସଂକଳ୍ପବଦ୍ଧ ଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆମ ସରକାର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପଦ୍ଧତି ଉପରେ ଅଗାଢ ବିଶ୍ୱାସ କରେ। ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସମସ୍ତ ଯୋଜନା, ସମସ୍ତ ଆଭିମୁଖ୍ୟ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସଞ୍ଚାଳିତ ହେବା ଆବଶ୍ୟକ। ସେଥିପାଇଁ, ଆମ ସରକାର ପ୍ରତି ସପ୍ତାହରେ, ଲୋକଙ୍କ ଅଭିଯୋଗ ଶୁଣି, ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି। ୧୯୭୫ର ଏମର୍ଜେନ୍‌ସି, ସ୍ୱାଧୀନୋତ୍ତର ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ। ‘ମିସା’ ଆଇନ ବଳରେ ଯେଉଁ ଦେଶପ୍ରେମୀମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିଥିଲା, ସେମାନଙ୍କୁ ଅମର ସମ୍ମାନ ଜଣାଇବା ପାଇଁ, ସରକାରଙ୍କ ତରଫରୁ ପେନ୍‌ସନ୍‌, ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଫ୍ରି ବସ୍‌ ପାସ୍‌ ସୁବିଧା କରାଯିବ। ରାଜନୈତିକ ସ୍ୱାଧୀନତା ସହିତ ଆର୍ଥିକ ସ୍ୱାଧୀନତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ, ଆମର ବୌଦ୍ଧିକ ସ୍ୱାଧୀନତା ଓ ଆଧ୍ୟାତ୍ମିକ ସ୍ୱାଧୀନତାର ମଧ୍ୟ ଗୁରୁତ୍ୱ ରହିଛି। ବୌଦ୍ଧିକ ଓ ଆଧ୍ୟାତ୍ମିକ ସ୍ତରରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବାର ସମୟ ଆସିଛି। ବିଶ୍ୱଗୁରୁ ଭାରତ, ଆଧ୍ୟାତ୍ମିକ କ୍ଷେତ୍ରରେ ସାରା ବିଶ୍ୱକୁ ସଚେତନ କରି ଶାନ୍ତି, ମୈତ୍ରୀ ଓ ସଦ୍‌ଭାବନା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ଏଥିପାଇଁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତବାସୀଙ୍କୁ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ମନ ଓ ଏକ ପ୍ରାଣ ହୋଇ କାମ କରିବାକୁ ପଡିବ। ବିଶ୍ୱସ୍ତରରେ ନିଜର ପରାକାଷ୍ଠା ଦେଖାଇବାକୁ ପଡିବ। ଆମର ଚିନ୍ତାଧାରାକୁ ବିଶ୍ୱସ୍ତରୀୟ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I

hiranchal ad1
Leave A Reply

Your email address will not be published.

one × four =