ଶ୍ରୀମନ୍ଦିର ନାଟମଣ୍ଡପ ବିମର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଟିମ୍‌

0 77

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ ଅସୁରକ୍ଷିତ ଥିବା ଆମିକସ୍‌ କ୍ୟୁରୀ ଏନ୍‌ କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ତତ୍ପର ହୋଇଛି ଏଏସଆଇ । ଏଏସଆଇର ନିର୍ଦ୍ଦେଶକ ଏବଂ ଓଡିଶା ଏଏସଆଇର ସୁପରିଟେଡେଣ୍ଟ ମିଳିତ ଭାବେ ଆଜି ଶ୍ରୀମନ୍ଦିର ଯାଇ ନାଟମଣ୍ଡପ ବିମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ ବିମ୍‌ ଯଦିଓ ଦୁର୍ବଳ ରହିଛି ହଠାତ ସେଭଳି କିଛି ଅଘଟଣ ଘଟିବାର ସମ୍ଭାବନା ନଥିବା ଏଏସଆଇର ଓଡ଼ିଶା ସୁପରିଟେଡେଣ୍ଟ ଜି.ବି. ଗଡ଼ନାୟକ ପ୍ରତିକ୍ରିୟା ରଖିଛନ୍ତି । ନାଟମଣ୍ଡପ ବିମ୍‌ ରେ ଥିବା ଫାଟର ମରାମତି ଓ ଏହାର ସୁରକ୍ଷା ପାଇଁ ଏଏସଆଇ ଏବଂ ଶ୍ରୀମନ୍ଦିର କୋରକମିଟି ସଦସ୍ୟ ମାନେ ନଜର ରଖିଛନ୍ତି । ଏହାର ମରାମତି ମଧ୍ୟ ସଠିକ୍‌ ଭାବରେ କରାଯିବ ବୋଲି ଏଏସଆଇ ସୁପରିଟେଡେଣ୍ଟ ସୂଚନା ଦେଇଛନ୍ତି । ଆଜି ଏଏସଆଇ ଟିମ୍‌ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ରଥଯାତ୍ରା ସମୟରେ ହୋଇଥିବା ମରାମତି ଏବଂ ସଂରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ଆଗାମୀ ଦିନରେ ମରାମତି ଓ ସଂରକ୍ଷଣ କାର୍ଯ୍ୟ ସଠିକ୍‌ ଭାବେ ହୋଇପାରିବ ତାହା ମଧ୍ୟ ସମୀକ୍ଷା କରିଛନ୍ତି । ସେପଟେ ଶ୍ରୀମନ୍ଦିର ପାର୍ଶ୍ୱ ଦେବଦେବୀ ମନ୍ଦିର ଗୁଡ଼ିକ ବହୁ ପୁରାତନ ହୋଇଥିବାରୁ କିଛି ମନ୍ଦିରରେ ପାଣି ଗଳୁଥିବା ନଜରକୁ ଆସିଛି । ତେଣୁ ଏହାର ମରାମତି କାର୍ଯ୍ୟ ମଧ୍ୟ ଆସନ୍ତା କାର୍ତ୍ତିକ ମାସ ପରେ କରାଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡେଣ୍ଟ । ଉତ୍ତର ଦ୍ୱାର ପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଯାତାୟତ ପାଇଁ ରାମ୍ପର ମଧ୍ୟ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିରରେ ଏବେ ଅଧିକ ଭିଡ ଲାଗି ରହୁଥିବାରୁ କାର୍ତ୍ତିକ ମାସ ପରେ ଏହି ସବୁ କାର୍ଯ୍ୟ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିରର ମରାମତି ଓ ସଂରକ୍ଷଣ ଦିଗରେ ଏଏସଆଇ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଛି । ଐତିହ୍ୟ କୀର୍ତ୍ତିରାଜି ଶ୍ରୀମନ୍ଦିରର ସୁରକ୍ଷା ଦିଗରେ ଏଏସଆଇ ସଠିକ୍‌ ଭାବରେ କାର୍ଯ୍ୟ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଆସୁଛି ।

hiranchal ad1
Leave A Reply

Your email address will not be published.

7 − two =