ଭୁବନେଶ୍ୱର: ୨୦୨୦ ମସିହାରୁ ଏସଟିଏଫ ଡ୍ରଗ୍ସ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏବେ ମିଳିଛି ବଡ଼ ସଫଳତା। ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ର ଏକ ଟିମ୍ ନୟାଗଡ ପିଡବ୍ଲୁଡି ଲେନ୍ ଉପରେ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ଅନୁମାନିକ ମୂଲ୍ୟ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ । ଏହି ଘଟଣାରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜିବାକୁ ତଲାସୀ ଜାରି ରହିଥିବା ଜଣାଯାଇଛି।
ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଟିଏଫ୍ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ରାତିରେ ଏକ ଟିମ୍ ନୟାଗଡ଼ ପିଡବ୍ଲୁଡି ଲେନ୍ସ୍ଥିତ ଏକ ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ପାଖାପାଖି ୩ କେଜି ୧୦୦ ଗ୍ରାମ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହାବାଦ ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି । ଚଢାଉ ବେଳେ STF ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରି ପଳାଇଛି।
ଏହି ଗ୍ୟାଙ୍ଗରେ ପ୍ରାୟ ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଖୋଜି ବାହର କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ADG ।