ମହାନଦୀ ପୋଲର ବାଡ ଉପରେ ଚାଲି ଷ୍ଟଣ୍ଟ ଦେଖାଇଲେ ଯୁବକ
ବୌଦ୍ଧ,୮/୭ – ବୌଦ୍ଧ-କିଆକଟା ମହାନଦୀ ପୋଲର ବାଡ ଉପରେ ପାଦରେ ଚାଲି ଜଣେ ଯୁବକ ଷ୍ଟଣ୍ଟ ଦେଖାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଯୁବକ ଜଣକ ଖାଲି ପାଦରେ ଚାଲିଚାଲି ବାଡ ଉପରେ ଯାଉଥିବାବେଳେ ଗୋଟିଏ ଲୁଙ୍ଗିକୁ କଚ୍ଛାମାରି ପିନ୍ଧିଥିବା ଓ ବେକରେ ଏକ ଗାମୁଛା ଗୁଡାଇଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗତି ଗ୍ରାମର ଓ ତାଙ୍କ ନାମ ବୁଲୁ ବୋଲି ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କ କଣ୍ଠସ୍ୱର ଓ କମେଣ୍ଟ ଗୁଡିକରୁ ଜଣାପଡିଛି । ସେ ବହୁସମୟ ଧରି ମହାନଦୀ ପୋଲର ବାଡ ଉପରେ ବିପଦଜନକ ଭାବେ ଚାଲିଚାଲି ଆସୁଥିଲେ ମଧ୍ୟ ଏଥିପାଇଁ ତାଙ୍କୁ କେହି ବାରଣ ମଧ୍ୟ କରିନଥିବା ଜଣାପଡିଛି । ବାଡ ଉପରେ ଚାଲୁଥିବା ଯୁବକ ଜଣକ ବିଭିନ୍ନ ସମୟରେ ବୌଦ୍ଧସହରରେ ବୁଲାବୁଲି କରୁଥିଲେ ଓ କିଛିଦିନ ବିଭିନ୍ନ ଘରୋଇ ବସରେ ହେଲପର ଭାବରେ ମଧ୍ୟ କାମ କରୁଥିଲେ । ତାଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ବୁଲିବୁଲି ଲୋକଙ୍କୁ ବସଷ୍ଟାଣ୍ଡ ଅଞ୍ଚଳରେ ଖାଇବାପାଇଁ ୫/୧୦ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥାଏ । କାହାଦ୍ୱାରା ପ୍ରଭାବିତ ହୋଇ ବିପଦସଙ୍କୁଳ ଅବସ୍ଥାରେ ମହାନଦୀ ପୋଲ ବାଡରେ ଚାଲିଛନ୍ତି ନାଁ ମାନସିକ ଅସୁସ୍ଥତା କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି ତାହା ତଦନ୍ତସାପେକ୍ଷ । ଟିକିଏ ଅସାବଧାନତା ବା ଅନ୍ୟମନସ୍କ ହେଲେ ୫୦ ଫୁଟ ତଳକୁ ଖସିପଡିବାର ସମ୍ଭାବନା ମଧ୍ୟ ରହିଛି । ଏଭଳି ଦୁଃସାହସିକ କାର୍ଯ୍ୟକୁ ସାମାଜିକ ଗଣମାଧ୍ୟମରେ କିଛିଲୋକ ଉପଭୋଗ କରୁଥିବାବେଳେ କିଛି ସଚେତନ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି ।