ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସଠାରେ ଛତିଶା ନିଯୋଗ ବୈଠକ, ହବିଷ୍ୟାଳିଙ୍କୁ ପୁରୀ ନଆସିବାକୁ ପ୍ରଶାସନର ଅନୁରୋଧ

0 118

ପୁରୀ : ଏନଏମର ଅନୁମତି ମିଳିବା ପରେ ଆସନ୍ତା ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଶ୍ରୀମନ୍ଦିର ଐସାଣ୍ୟ କୋଣରେ ଏହି କାର୍ଯ୍ୟ କରାଯିବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ସହ ହବିଷ୍ୟାଳୀଙ୍କ ପାଇଁ କଟକଣା ରହିବ। କାର୍ତ୍ତିକ ମାସରେ ତିନିଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତଙ୍କୁ ସୁବିଧାରେ ମହାପ୍ରସାଦ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସ ଠାରେ ଆଜି ନୀତି ଓ ଅର୍ଥ ସବକମିଟିର ବୈଠକ ପରେ ବସିଥିଲା ଛତିଶା ନିଯୋଗ ବୈଠକ। ଅର୍ଥ ସବକମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ୨୬ ଲକ୍ଷ ୫ ହଜାର ୩ ଶହ ୬ଟଙ୍କାର ବଜେଟ ଆଗତ କରାଯାଇଛି। ଏ ବର୍ଷ ଖଣି, ସୈରାତ ଓ ରାଜସ୍ବ ଆଦାୟ ଅଧିକ ରହିଛି। ରାଜସ୍ବ ଆଦାୟ ଅର୍ଥ ରଥଯାତ୍ରା, ମହାପ୍ରଭୁଙ୍କ ନୀତିକାନ୍ତି, ସେବାୟତଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଉନ୍ନୟନ ପାଇଁ ଖର୍ଚ୍ଚ କରାଯିବ। ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ଚଳିତ ମାସ ୧୫ ତାରିଖରେ ପଡୁଥିବା ଦଶହରାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ୨୦ ତାରିଖରେ ପଡୁଥିବା କୁମାରପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସଂଶୋଧିତ ଏସ ଓପି ଜାରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନେ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଦର୍ଶନ ପାଇଁ କୌଣସି କଟକଣା ନାହିଁ। କାର୍ତ୍ତିକ ମାସ ଅର୍ଥାତ୍ ନଭେମ୍ବରରେ ତିନିଦିନ ଶ୍ରୀମନ୍ଦିର ଵନ୍ଦ ରହିବ। ନଭେମ୍ବର ୪ ତାରିଖରେ ଦିପାବଳୀ, ୧୫ ରେ ଏକାଦଶୀ ଓ ୧୯ ରେ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏହି ମାସ ୧୮ ତାରିଖରେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟ ଐସାନ୍ୟ କୋଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀମନ୍ଦିର ଐତିହ୍ୟ କରିଡୋର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିପାଇଁ ଏନଏମଏ ସମେତ ବିଭିନ୍ନ ବିଭାଗର ଅନୁମତି ମିଳିସାରିଛି। କୁମାର ପୂର୍ଣ୍ଣମୀ ପରଠାରୁ ସେବାୟତ ମାନେ ପର୍ଯ୍ୟାୟକ୍ରମେ ପାରମ୍ପରିକ ବେଶ ପୋଷାକ ପିନ୍ଧି ପୋଖରିଆ ଓ ଗର୍ଭଗୃହକୁ ପ୍ରବେଶ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ଓ ଛତିଶା ନିଯୋଗର ସମସ୍ତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 1 =