ସ୍ୱାସ୍ଥ୍ୟ ବିଭାଗ ସେବାରୁ ବଞ୍ଚିତ

0 116

ଗଞ୍ଜାମ ୨୦।୧୧ : କୋଦଳା ସ୍ୱାସ୍ଥ୍ୟ ବିଭାଗ ନିଦ୍ରାରେ । ଲୋକଙ୍କ ସେବାପାଇଁ ସ୍ୱାସ୍ଥ୍ୟ ବିଭାଗ ରହିଥିବା ବେଳେ ଲୋକ କିନ୍ତୁ ଏହି ସେବା ପାଇବାରୁ ବଞ୍ଚିତ । ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ବର୍ତମାନ ବଢ଼ିବଢି ଚାଲିଛି । ଡାକ୍ତରଙ୍କୁ ଡାକି ଡାକି ଶୀତ ରାତିରେ ଶେଷରେ ଅଟୋ ଭିତରେ ସନ୍ତାନ ପ୍ରସବ କଲେ ମହିଳା । ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ ଅଙ୍ଗରଗାଁର କାର୍ତିକ ସେଠୀଙ୍କ ପତ୍ନୀ ଝୁନୁ ସେଠୀ ନିଜ ବାପା ଘର କୁମ୍ଭରଗାଁରୁ ଅଟୋ ଯୋଗେ ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ପାଇଁ ରାତି ୧ଟା ସମୟରେ ଯାଇଥିଲେ । ସାଙ୍ଗରେ ଆଶା କର୍ମୀ ଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ଝୁନୁ ଅଟୋ ଭିତରେ ଥିବା ବେଳେ ଅଟୋ ଚାଳକ ଡାକ୍ତରଙ୍କୁ ଡାକିଥିଲେ ବି କେହି ହେଲେ କବାଟ ଖୋଲିନଥିଲେ । ସେଠାରେ ଜଣେ ଏମ ବି ବି ଏସ ଓ ଜଣେ ଆୟୁଷ ଡାକ୍ତର ଥିବା ବେଳେ ଦୁଇ ଜଣ ଡାକ୍ତର ନିଘୋଡ଼ ନିଦରେ ଶୋଇଥିଲେ ସେମାନେ । ଏପଟେ ବିକଳ ହୋଇ ଝୁନୁ ଚିତ୍କାର କରୁଥିଲେ ବି ସମୟ ବିତିଯାଉଥିଲା । ଦୀର୍ଘ ୪୫ ମିନିଟ ଅପେକ୍ଷା କରିବା ପରେ ଶେଷରେ ଝୁନୁ ଅଟୋରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ଅଟୋ ଚାଳକଙ୍କ ପାଟିରେ ଡାକ୍ତରଙ୍କ କବାଟ ଖୋଲିଲା ଓ ଚିକିତ୍ସା ହେଲା। ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ବେଛାସେବୀ ଅନୁଷ୍ଠାନ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିରେ ଅବ୍ୟବସ୍ଥା ଲାଗି ରହିଥିଲେ ବି ଉକ୍ତ ଟ୍ରଷ୍ଟ କୌଣସି ସମାଧାନ କରିପାରୁନାହାନ୍ତି ବୋଲି ବ୍ୟାପକ ଅଭିଯୋଗ ହେଉଛି । ଦୀର୍ଘ ଦିନ ହେବ ଏଠାରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଏହି ମେଡିକାଲକୁ ତୁରନ୍ତ ସରକାର ହାତକୁ ନେବା ପାଇଁ ଦାବୀ ହେଉଛି। ଏହି ପ୍ରକାର ଅବ୍ୟବସ୍ଥା ଯୋଗୁଁ ପ୍ରସୂତି ସୁମଣ୍ଡଳ ମେଡିକାଲ କିମ୍ବା କୋଦଳା ମେଡିକାଲକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦିନକୁ ଦିନ ଭରସା ତୁଟୁଛି। ଏଣୁ ପ୍ରଶାସନ ତୁରନ୍ତ ଏହାର ପରିଚାଳନା ପାଇଁ ଏହାକୁ ସରକାରୀ ସ୍ତରରେ ହସ୍ତାନ୍ତର କରାଯିବା ଆବଶ୍ୟକ ହୋଇପଡିଛି ।

hiranchal ad1
Leave A Reply

Your email address will not be published.

five × five =