ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ରହସ୍ୟ ଉପରୁ ଏବେବି ପରଦା ଉଠି ପାରିନି । ଏବେବି ପ୍ରମାଣ ଯୋଗାଡ କରୁଛି କମିଶନରେଟ୍ ପୋଲିସ୍ । ମନୀଷ ଦାସ ଶେଷ ରାତି କଟାଇଥିବା ହୋଟେଲ କୁ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ସିଲ୍ କରାଯାଇଛି । ପାତ୍ରପଡା ଅଞ୍ଚଳର ହୋଟେଲ୍ ସାଉଥ ସିଟିକୁ ସମ୍ପୂର୍ଣ୍ଣ ଭାବରେ ପୋଲିସ୍ ପକ୍ଷରୁ ସିଲ୍ କରାଯାଇଛି । ମୃତ୍ୟୁର ପୂର୍ବଦିନ ମନିଷ ଇନଫୋସିଟି ଗାଲାକ୍ସି ପାଖରେ ଗାଡି ଥୋଇ ଦୁଇ ଜଣଙ୍କ ସହ ପାତ୍ରପଡାର ସାଉଥ ସିଟି ହୋଟେଲକୁ ଆସିଥିଲେ । ଏହା ଥିଲା ତାଙ୍କର ଲାଷ୍ଟ ଡେଷ୍ଟିନେଶନ୍ । ଯେଉଁଠି ସେ ରାତି ୪ଟା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ବୋଲି କୁହାଯାଉଛି । ଏହି ହୋଟେଲ ଆଉ ବାରରେ ସେ ଜଣେ ରେଗୁଲାର କଷ୍ଟମର ଥିଲେ ବୋଲି କିଛି ଷ୍ଟାପ୍ ନାମ ଗୋପନ ରଖି କହିଛନ୍ତି ।
ଗତକାଲି ରାଜଧାନୀ ଉପକଣ୍ଡ ପାତ୍ରପଡା ଅଞ୍ଚଳର ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପୂର୍ବ ଦିନ ରାତିରେ ଭୋଜି କରିବେ କହି ଘରୁ ଆସିଥିବା ମନୀଷଙ୍କ ଏଭଳି ହଠାତ୍ ମୃତ୍ୟୁରେ ପରିବାର ଲୋକ ସ୍ତବ୍ଧ ହୋଇପଡିଛନ୍ତି । ତେବେ ମନୀଷ ଯେଉଁ ସାଙ୍ଗ ମାନଙ୍କ ସହିତ ଭୋଜି କରିବା କଥା ଘର ଲୋକଙ୍କୁ ଜଣାଇଥିଲେ ସେହି ଦୁଇ ସାଙ୍ଗ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି । ଯାହାକୁ ନେଇ ପରିବାର ଲୋକ ମନୀଷଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ମନୀଷଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ କଣ? କେମିତି ସେ ସେହି ପୋଖରୀ ନିକଟକୁ ଗଲେ ଏହା ହତ୍ୟା ନା ଆତ୍ମହତ୍ୟା ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ମନୀଷ ଦାସଙ୍କ ବାପା ନବୀନ ଦାସ ଏକ ଭିଡିଓ ଜାରି ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।