ପୁରୀ : ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧାଦାମୋଦର ବେଶ ହୋଇଥାଏ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତ୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସରି ତାପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି । ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରୁଥିଲେ । ଏହି ବେଶରେ ଲାଗିହେଉଥିବା ସୁବର୍ଣ୍ଣ ଅଳଙ୍କାରମାନ ହେଲା ସୁବର୍ଣ୍ଣ ଘାଗଡା, କଟି ଓଡିଆଣି, ଚନ୍ଦ୍ରସୁର୍ଯ୍ୟ, ଚନ୍ଦ୍ରିକା ତ୍ରିମୁଣ୍ତି, ତିଳକ, ନଳୀଭୂଜ, କୁଣ୍ତଳ, ତଡଗି । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଲାଗେ । ଫୁଲଠାରୁ ଅଧିକା ସୁବର୍ଣ୍ଣ ଅଳଙ୍କାର ଲାଗେ । ହସ୍ତରେ ନଳୀଭୂଜ ଲଗାଇଦିଆଯାଏ । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ, କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି, ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ । ଏହି ସମୟରେ ବାଳଭୋଗ ହୁଏ । ତେବେ ଠାକୁର ମାନେ କାର୍ତ୍ତିକ ପଞ୍ଚୁକ ସମୟରେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୁଅନ୍ତି। ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ, ଓ ରାଜରେଜେଶ୍ୱର ବେଶ ।