ରାସ୍ତା ନିର୍ମାଣ ପାଇଁ ଗୁହାରି କେହି ନଶୁଣିବାରୁ ରାସ୍ତା ନିର୍ମାଣ କରିଲେ ଗ୍ରାମବାସୀ

0 95

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ଠାରୁ ଚନ୍ଦନଖଳା ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ନଶୁଣିବାରୁ ନିଜେ ରାସ୍ତାକାମ ନିର୍ମାଣ କରିଲେ ଚନ୍ଦନଖଳା ଗ୍ରାମବାସୀ । ସୂଚନା ଅନୁଯାୟୀ, ପାଟିକୋଟା ଠାରୁ ଚନ୍ଦନଖଳା ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ପାଇଁ ଦୀର୍ଘ ୩୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁ ନାହିଁ । ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୁଇ ଥର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲେ ହେଁ ରାସ୍ତା ପାଇଁ ଜମି କେହି ନଦେବାରୁ ବାତିଲ ହୋଇଯାଇଛି। ସେପଟେ ରାସ୍ତାଟିଏ ନଥିବାରୁ ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମ ସମେତ ଗୁମ୍ମା ବ୍ଲକର ପ୍ରାୟ ୧୦ ଖଣ୍ଡ ଗ୍ରାମବାସୀ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ବ୍ଲକର ୫ ହଜାରରୁ ଉର୍ଦ୍ଧ ଜନସାଧାରଣ ଚନ୍ଦଖଳା-ପାଟିକୋଟା ଗ୍ରାମ୍ୟ ରାସ୍ତା ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ବର୍ଷା ଦିନେ ଏହି ଅଣଓସାରିଆ ମାଟିରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଗୁମ୍ମା ବ୍ଲକର ଗ୍ରାମାଞ୍ଚଳ ଲୋକେ ଏହି ରାସ୍ତା ଦେଇ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ ସଦରମହକୁମାକୁ ଯାଉଥିବା ବେଳେ ଗୋଷାଣି ବ୍ଲକ ଗ୍ରାମାଞ୍ଚଳବାସୀ ମଧ୍ୟ ସମାନ ଭାବେ ଯାତାୟତ କରିଥାନ୍ତି। ଏହା ସହ ବିଭିନ୍ନ ବିଦ୍ୟାଳୟ ଏବଂ କଲେଜକୁ ଛୋଟ ଛୋଟ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

hiring

ବିଶେଷ କରି ରାସ୍ତାର ଅବସ୍ଥା ଯୋଗୁଁ ରୋଗୀମାନଙ୍କୁ ଆମ୍ବୁଲାନ୍ସରେ ନେବା ଆଣିବା କଲାବେଳେ ନାନାଦି ସମସ୍ୟା ଦେଖାଦେଇଥାଏ । ଦୁଇ ବ୍ଲକର ସୀମାନ୍ତବର୍ତ୍ତୀ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବାରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା ଅଟେ। ତେଣୁ ଏହି ଦୁଇ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳବାସୀନ୍ଦା ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର ଜଣାଇଛନ୍ତି। ଏପରିକି ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ପ୍ରଶାସନ ଭୋଟଦାନ କରିବା ସକାଶେ ରାସ୍ତା ନିର୍ମାଣର ପ୍ରତିଶୃତି ଦେଇଥିଲେ। ତଦ୍ ଅନୁଯାୟୀ ଲୋକେ ଭୋଟ ଦେଇଥିଲେ। ତେବେ ନିର୍ବାଚନ ସରିଯାଇଛି ନବନିର୍ବାଚିତ ସରକାର ଗଠନ ହେଲାଣି। ହେଲେ ପ୍ରଶାସନ ଦେଇଥିବା ପ୍ରତିଶୃତି ପାଣିର ଗାରପାଲଟିଥିବା କଥା କହିଛନ୍ତି ଅଞ୍ଚଳବାସୀ। ଏପରିକି ତତ୍କାଳୀନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏହି ରାସ୍ତାର ନିରୀକ୍ଷଣ ପାଇଁ ଖୋଦ୍ ନିରୀକ୍ଷଣ କରି ଫେରିଥିଲେ । ସେ ମଧ୍ୟ ୭୦୦ ମିଟର ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ଏପରି ଭାବେ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସକମାନେ ରାସ୍ତା ନିର୍ମାଣର ପ୍ରତିଶୃତି ଦେଇ ବଦଳି ହୋଇ ଜିଲ୍ଲାରୁ ଚାଲିଯାଇଛନ୍ତି। ସେହିପରି ରାଜନେତାମାନେ ମଧ୍ୟ କମ୍ ନୁହଁନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଦଳର ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ ସେମାନେ ମଧ୍ୟ କୌଣସି ଆନ୍ତରିକତା ଦେଇଖାଇ ନଥିବାର ଲୋକେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ପାଟିକୋଟା ଠାରୁ ଚନ୍ଦନଖଳା ଗ୍ରାମ ଦେଇ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ରାସ୍ତା ରହିଛି । ହେଲେ ପାଟିକୋଟା ଠାରୁ ଚନ୍ଦନ ଖଳା ୭୦୦ ମିଟର ରାସ୍ତା ଆଜିଯାଏଁ ନିର୍ମାଣ ହୋଇପାରିନାହିଁ। ଏପରି ସ୍ଥଳେ ଚନ୍ଦନଖଳା ଗ୍ରାମବାସୀ ନିଜସ୍ବ ଉଦ୍ଦ୍ୟମରେ ଟ୍ରାକ୍ଟରରେ ମେଟାଲ ଓ ପଥର ଗୁଣ୍ଡ ଆଣି କାଦୁଅ ରାସ୍ତାରେ ପକାଇ ରାସ୍ତା ନିର୍ମାଣ କରିଥିବାର ଜଣା ପଡ଼ିଛି I

hiranchal ad1
Leave A Reply

Your email address will not be published.

4 × 5 =