ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଲେ । ତେବେ ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ । କୋଭିଡ ଯୋଗୁଁ ଗତ ଦେଢ ବର୍ଷ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।