ହାଇକୋର୍ଟଙ୍କ ସର୍ତ୍ତ : ମୁଣ୍ଡିପଦର ଗ୍ରାମର ଷଣ୍ଢେଶ୍ୱର ଲଗାଇବେ ଶହେଚାରା

0 1,492

ବୌଦ୍ଧ: ଏକ ମାମଲାରେ ଅଭିଯୁକ୍ତ ଥିବା ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ଜନୈକ ଯୁବକଙ୍କୁ ଜାମିନ ମଞ୍ଜୁରକରି ଏକ ଅଭିନବ ସର୍ତ୍ତ ରଖିଛନ୍ତି ମାନ୍ୟବର ଓଡିଶା ହାଇକୋର୍ଟ । ଜାମିନରେ ଯିବାପରେ ଅଭିଯୁକ୍ତ ନିଜ ଗ୍ରାମରେ ୧୦୦ଟି ଚାରା ରୋପଣ କରିବାକୁ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ସାରା ରାଜ୍ୟରେ ଏହା ଚର୍ଚ୍ଚାର ଖୋରାକ ଯୋଗାଇଛି ।
ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମର ଶୁଭ୍ରାଂଶୁ ପ୍ରଧାନ ଓରଫ ଷଣ୍ଢେଶ୍ୱରଙ୍କ ବିବାହ ପ୍ରସ୍ତାବ ବୌଦ୍ଧଥାନା ଅନ୍ତର୍ଗତ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତର ମଧୁପୁର ଗ୍ରାମର ଅକ୍ଷୟ ଗାଇଗୌରିଆଙ୍କ ଝିଅସହ ପଡିଥିଲା । ଝିଅଘର ପ୍ରସ୍ତାବରେ ରାଜି ହୋଇନଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଷଣ୍ଢେଶ୍ୱର ଝିଅଘରକୁ ଯାଇ ଆକ୍ରମଣ କରିବାସହ ସୁନାଚେନ ଲୁଟି ନେଇଥିବା ବୌଦ୍ଧଥାନାରେ ଅକ୍ଷୟ ଅଭିଯୋଗ କରିଥିଲେ । ଗତ ୨୦୨୦ ମସିହା ଫେବୃଆରୀ ୨ତାରିଖରେ ବୌଦ୍ଧ ଥାନାରେ ଆଇପିସିର ଦଫା ୪୫୨, ୩୫୪(ଖ), ୨୯୪, ୩୦୭, ୫୦୬, ୩୭୯, ୩୪ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଷଣ୍ଢେଶ୍ୱରକୁ ପୁଲିସ ଗିରଫ କରିଥିଲା । ନିମ୍ନ ଅଦାଲତରେ ଅଭିଯୁକ୍ତଙ୍କ ଜାମିନ ନାକଚ ହେବାପରେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ତାଙ୍କ ଜାମିନ ଆବେଦନର ବିଚାରକରି ମାନ୍ୟବର ହାଇକୋର୍ଟ ଅଭିଯୁକ୍ତ ଷଣ୍ଢେଶ୍ୱରଙ୍କୁ ୧୦୦ଟି ଚାରା ଲଗାଇବାକୁ ସର୍ତ୍ତରଖି ଜାମିନ ମଞ୍ଜୁର କରିଛନ୍ତି । ଏହାସହିତ ଜାମିନ ଛାଡିବା ବେଳେ ବୌଦ୍ଧ ଏସଡିଜେଏମ ଅନ୍ୟାନ୍ୟ ଆବଶ୍ୟକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଅଭିଯୁକ୍ତ ୩ମାସ ମଧ୍ୟରେ ନିଜ ଗ୍ରାମରେ ୧୦୦ଗଛ ଲଗାଇ ଯତ୍ନ ନେବେ ଓ ତାର ପ୍ରମାଣ ସ୍ୱରୁପ ଫଟୋ ଉତ୍ତୋଳନ କରି ଥାନା ଅଧିକାରୀଙ୍କ ଜରିଆରେ ଟ୍ରାଏଲ କୋର୍ଟ ଏସ୍‌ଡିଜେଏମ୍ ବୌଦ୍ଧଙ୍କୁ ଅବଗତ କରାଇବେ ବୋଲି ଅଦାଲତ ଆଦେଶ ଦେଇଥିବା ଜଣାପଡିଛି ।
ଓଡିଶା ଇତିହାସରେ ଜାମିନ ମଞ୍ଜୁର ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ୧୦୦ ଚାରାରୋପଣ ଭଳି ଅଭିନବ ସର୍ତ୍ତ ପ୍ରଥମ ହୋଇଥିବାରୁ ଜନସାଧାରଣରେ ଏହା ଆଲୋଚନାର ଖୋରାକ ଯୋଗାଇଛି ।

hiranchal ad1
Leave A Reply

Your email address will not be published.

two − 1 =