ସମ୍ବଲପୁର,୨୬/୭- ଆଜି ଏଠାରେ ୨୨ତମ କାରଗିଲ ବିଜୟ ଦିବସ ପାଳନ ଉପଲକ୍ଷେ ସହିଦ ବୀର ସେନାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ଯୋଗୁଁ କୌଣସି ସଭା ସମିତି ଆୟୋଜନ ସମ୍ଭବ ହୋଇ ନଥିବାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଜନସାଧାରଣ ସ୍ଥାନୀୟ କଚେରୀ ଛକ ଠାରେ ସ୍ଥାପିତ ସହିଦ ସ୍ତମ୍ଭରେ ଫୁଲ ଚଢାଇ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳୁ ସର୍ବପ୍ରଥମେ ଅବସରପ୍ରାପ୍ତ ସୈନିକମାନେ ସେଠାରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ପାର୍ଟି ନେତା କର୍ଣ୍ଣେଲ ପ୍ରଭାତ ପଣ୍ଡାଙ୍କ ଆୟୋଜନ କ୍ରମେ ପାର୍ଟି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଅନେକ କର୍ମକର୍ତ୍ତା ସଭ୍ୟ ସେଥିରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ୨୨ ବର୍ଷ ପୂର୍ବେ ପାକିସ୍ତାନ ବିରୁଦ୍ଧରେ କାରଗିଲ ଯୁଦ୍ଧରେ ବୀରଗତି ପ୍ରାପ୍ତ ସୈନିକମାନଙ୍କୁ ବିଶେଷ ଭାବେ ସ୍ମରଣ କରାଯାଇଥିଲା ।