ଆରଆଇ ଅଫିସ ପ୍ରତିଷ୍ଠାକୁ ନେଇ ଲମ୍ବସରୀ ପଞ୍ଚାୟତବାସୀଙ୍କ କଣ୍ଟାମାଳ ତହସିଲ ଘେରାଉ ଓ ବିକ୍ଷୋଭ

0 116

କଣ୍ଟାମାଳ,୨୬/୭ – ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ ଆର୍‌ଆଇ ଅଫିସ ପାଇଁ ଜାଗା ଚିହ୍ନଟ ହେଲା ଏବଂ ଇତି ମଧ୍ୟରେ ତାହା ପୁଣି ଦପଲାକୁ ସ୍ଥାନାନ୍ତର ପାଇଁ ଚାଲିଥିବା ଚକ୍ରାନ୍ତ ପ୍ରତିବାଦରେ ଲମ୍ବସରୀ ପଞ୍ଚାୟତ ସମେତ ଆଖପାଖ ୪୨ଖଣ୍ଡ ଗ୍ରାମର ଲୋକେ ଆଜି କଣ୍ଟାମାଳ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ପ୍ରକାରେ ମୋଟ ୪୨ ଖଣ୍ଡ ରାଜସ୍ୱ ଗ୍ରାମକୁ ନେଇ ଗଠିତ ଲମ୍ବସରୀ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଇଲାକାଭାବେ ରହିଥିବା ହେତୁ ଏଠାରେ ରାଜସ୍ୱ କାର୍ଯ୍ୟାଳୟ ଖୋଲିବାକୁ ଅଞ୍ଚଳବାସୀ ଗତ ୧୫ ବର୍ଷ ହେଲା ଦାବୀ କରି ଆସୁଥିଲେ । ଜନସାଧାରଣଙ୍କ ଦାବୀକୁ ନେଇ ଆରଆଇ ଅଫିସ ପୁନର୍ଗଠନ ସମୟରେ ଲମ୍ବସରୀରେ ଆରଆଇ ଅଫିସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା ଏବଂ ଗତ ୨୦୨୦ ମାର୍ଚ୍ଚ ମାସରେ କଣ୍ଟାମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଲମ୍ବସରୀ ପେକ୍ସ କାର୍ଯ୍ୟାଳୟ ନିକଟରେ ଜାଗା ସୁଦ୍ଧା ଚିହ୍ନଟ କରିଥିଲେ ବୋଲି ବିକ୍ଷୋଭକାରୀ ପ୍ରକାଶ କରିଥିଲେ । ବର୍ତ୍ତମାନ ରାଜନୈତିକ ପଶାପାଲିରେ ପ୍ରସ୍ତାବିତ ଲମ୍ବସରୀ ବଳି ପଡିବାକୁ ଯାଉଥିବା ବେଳେ ରାଜନୈତିକ ଅଭିସନ୍ଧି ଓ ଧଳାହାତୀଙ୍କ ଚକ୍ରାନ୍ତ ଯୋଗୁଁ ଆସନ୍ତା ଅଗଷ୍ଟ ୨ ତାରିଖରେ ଦପଲାରେ ଭୂମିପୂଜନ କାର୍ଯ୍ୟକ୍ରମ ଥିବା ଜଣାପଡିବା ପରେ ଆଜି ଏହାକୁ ବିରୋଧ କରି ଲମ୍ବସରୀ ପଞ୍ଚାୟତର ୪୨ଖଣ୍ଡ ଗ୍ରାମର ଲୋକେ ପ୍ରତିବାଦ ସ୍ୱରୂପ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ପ୍ରସ୍ତାବିତ ରାଜସ୍ୱ କାର୍ଯ୍ୟାଳୟ ଲମ୍ବସରୀ ହିଁ କରିବାକୁ ସ୍ଥାନୀୟ ତହସିଲଦାର ଅର୍ଜ୍ଜୁନ ପ୍ରଧାନଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠିତ ବିକ୍ଷୋଭ ଓ ଦାବୀପତ୍ର କାର୍ଯ୍ୟକ୍ରମରେ ଲମ୍ବସରୀ ପଞ୍ଚାୟତ ସରପଞ୍ଚ ଶ୍ରୀମତି ବିଜୟଲକ୍ଷ୍ମୀ ମେଣ୍ଡିଲି, ନାଏବ ସରପଞ୍ଚ ଗୋପବନ୍ଧୁ ପ୍ରଧାନ, ଅଶୋକ ଖମାରୀ, ରିଙ୍କୁ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବିଭିନ୍ନ ଗ୍ରାମରୁ ଗ୍ରାମ୍ୟ ପ୍ରତିନିଧିଭାବେ ସଚୀସୂତି ପ୍ରଧାନ, ଜଳନ୍ଧର କମ୍ପ, ଗୋପିନାଥ ନାଏକ, କୁଞ୍ଜ ବିହାରୀ ମେଣ୍ଡିଲି, ଅନନ୍ତ ପ୍ରଧାନ, ଉତ୍ତମ ଅମାତ୍‌, , ମୃତ୍ୟୁଞ୍ଜୟ ପ୍ରଧାନ, ମୋହନ ରଣା, ରାବଣେଶ୍ୱର ବେହେରା, ଦେବାର୍ଚ୍ଚନ ନାଏକ, ସତ୍ୟବତୀ ପ୍ରଧାନ, ଅଶୋକ କୁମାର ସାହୁ, ସୁରୁ ପ୍ରଧାନ, ଦ୍ରୋଣାଚାର୍ଯ୍ୟ ପ୍ରଧାନ ପ୍ରମୁଖ ସାମିଲ ହୋଇଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇଚରଣ ଡାଙ୍ଗ, ଆଦିବାସୀ ନେତା ଡମ୍ବରୁ କହଁର ପ୍ରମୁଖ ଉପସ୍ଥିତ ହୋଇ ଲମ୍ବସରୀ ପଞ୍ଚାୟତର ୪୨ ଖଣ୍ଡ ରାଜସ୍ୱ ଗ୍ରାମବାସୀଙ୍କ ଦାବୀକୁ ସମର୍ଥନ ଜଣାଇଥିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଲମ୍ବସରୀ ପଞ୍ଚାୟତରେ ନୂତନ ରାଜସ୍ୱ କାର୍ଯ୍ୟାଳୟ ଖୋଲିବା ନେଇ ପୁର୍ନବିଚାର ନକଲେ ଆଗାମୀ ଦିନରେ ପଞ୍ଚାୟତବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

two + three =