ନବରଙ୍ଗପୁର: କୃଷି ବିଭାଗର ଯୁଗ୍ମ କୃଷି ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କା କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି କୃଷିବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପରିଦର୍ଶନ କରିବା ସହ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ବିଭାଗୀୟ ଅଧିକାରୀମାନଙ୍କ ସହ ଫସଲ ବିବିଧିକରଣ ଯୋଜନାର ଅଗ୍ରଗତି ତଥା ଉକ୍ତ ଯୋଜନା ଜରିଆରେ ଗ୍ରାମ୍ୟସ୍ତରରେ ଅଣଧାନ ଫସଲର ବିପଣନ ନିମନ୍ତେ ସେହି ଜିଲ୍ଲାଗୁଡିକରେ ଯୋଜନା ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ୮ ତାରିଖରେ କୋରାପୁଟ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଭାଗୃହରେ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ କୃଷି ଓ ଉଦ୍ୟାନ କୃଷି ତଥା ଅନ୍ୟାନ୍ୟ ସହଯୋଗୀ ସଂସ୍ଥାମାନଙ୍କର ଅଧିକାରୀମାନେ ଯୋଗଦେଇ ଫସଲ ବିବିଧିକରଣ, ବିଭିନ୍ନ ପ୍ରଦର୍ଶନ କ୍ଷେତ୍ରର କୃଷକମାନଙ୍କ ସହାୟତା ରାଶି ପ୍ରଦାନ, ରୋଗ ପୋକ ସର୍ବେକ୍ଷଣ ଓ କୀଟନାଶକରେ ରିହାତି ପ୍ରଦାନ ଇତ୍ୟାଦି ଯୋଜନା ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିପରି ୯ରେ ମାଲକାନଗିରି ଗସ୍ତ କରି କୃଷି ଓ ଆନୁସଙ୍ଗିକ ବିଭାଗ କାର୍ୟ୍ୟକ୍ରମ ପରିଦର୍ଶନ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଯୋଜନାର ଅଗ୍ରଗତି ଏବଂ କ୍ଷେତ୍ରରେ ଥିବା ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ୧୦ରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଫାର୍ମ ପରିଦର୍ଶନ, ଉମରକୋଟ ଫାର୍ମ ପରିଦର୍ଶନ ଓ ଧାନ ଫସଲର ଶସ୍ୟକାଟରେ ଯୋଗଦାନ କରିଥିଲେ। ଏଥି ସହିତ ବିଭିନ୍ନ ଗ୍ରାମରେ ବୁଲି ରୋଗପୋକ ସର୍ବେକ୍ଷଣ, ରୋଗପୋକ ଦାଉରୁ ଫସଲ ସୁରକ୍ଷା ଓ ଶସ୍ୟ ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ। ଉମରକୋଟ ବ୍ଲକ ବେନୋରା ଗ୍ରାମପଞ୍ଚାୟତର ଖୁଟୁଗୁଡା ଗ୍ରାମରେ ବିହନ ବିଶୋଧନ ପ୍ରଦର୍ଶନ ଯୋଜନା ଜରିଆରେ ଅନୁଷ୍ଠିତ ତାଲିମ ଶିବିରରେ ଯୋଗ ଦେଇ ହିତାଧିକାରୀଙ୍କୁ ତାଲିମ ଦେବା ସହ ବିହନ ବିଶୋଧକ ବଣ୍ଟନ କରିଥିଲେ।