ସାବିତ୍ରୀ ଓ ରଜ ପାଇଁ ଜମୁଛି ପଣସ ବେପାର

0 105

ଦଶପଲ୍ଲା,୨୮/୫ : – ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଦଶପଲ୍ଲା ଠାରୁ ୧୬ କିଲୋମିଟର ବୌଦ୍ଧ ବଲାଙ୍ଗୀର ରାସ୍ତାରେ ଗଲାପରେ ପଡେ ବୁଗୁଡା ବସଷ୍ଟାଣ୍ଡ । ବସଷ୍ଟାଣ୍ଡର ଅଳ୍ପକିଛି ଦୂରରେ ସାରାବର୍ଷ ଦେଖିବାକୁ ମିଳେ ଋତୁ ଅନୁସାରେ ଉତ୍ପାଦିତ ହେଉଥିବା ବିଭିନ୍ନପ୍ରକାର ତଟକା ଫଳ ଓ ପନିପରିବାର ସଂଭାର । ଏହି ଆଦିବାସୀ ହରିଜନ ଅଧ୍ୟୁଷିତ ଅଂଚଳର ଚାଷୀମାନେ ନିଜ ବାଡ଼ି ବଗିଚାରେ ଉତ୍ପାଦିତ ହେଉଥିବା ବିଭିନ୍ନ ପନିପରିବା ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଅତ୍ୟନ୍ତ ଶସ୍ତାଦରରେ ବିକ୍ରୟ କରିଥାନ୍ତି । ବ୍ୟବସାୟୀମାନେ ଚାଷୀମାନଙ୍କ ଠାରୁ କମ୍‌ ମୂଲ୍ୟରେ କ୍ରୟକରି କଟକ, ଭୁବନେଶ୍ୱର ବଜାରରେ ଚଢାଦରରେ ବିକ୍ରିକରି ମାଲେମାଲ୍‌ ହେଉଥିବାବେଳେ, ଗରିବ ଚାଷୀଟି ମୁଣ୍ଡର ଝାଳ ତୁଣ୍ଡରେ ମାରି, ପରିଶ୍ରମର ଯଥାଯଥ ମୂଲ୍ୟ ପାଇପାରେ ନାହିଁ । ଏହି ସମସ୍ୟାକୁ ଆଖିଆଗରେ ରଖି ସ୍ଥାନୀୟ ଚାଷୀମାନେ ନିଜ ନିଜର ଉତ୍ପାଦିତ ଦ୍ରବ୍ୟ ଯଥା ବାଇଗଣ, ଭେଣ୍ଡି, କନ୍ଦମୂଳ, ଦେଶୀଆଳୁ, ଝୁଡୁଙ୍ଗ, ପୋଟଳ,ଜହ୍ନି, ଆମ୍ବ,ପଣସ, କଦଳୀ, ବିଭିନ୍ନ ପ୍ରକାରର ଶାଗ ସମେତ ମହୁ, ଝୁଣା, ଜଙ୍ଗଲିି ଆମ୍ବ ଶତାବରୀ ଭଳି ଅନେକ ପ୍ରକାରର ଜଂଗଲ ଜାତ ଦ୍ରବ୍ୟ ରାଜପଥ ପାର୍ଶ୍ୱରେ ବିକ୍ରୟ ପାଇଁ ସଜାଇ ରଖିଥାନ୍ତି । ଏବେ ସାବିତ୍ରୀ ବ୍ରତ ଓ ରଜ ସମୟ ହୋଇଥିବାରୁ ପାଚିଲା ପଣସର ଚାହିଦା ଯଥେଷ୍ଟ ରହିଛି । ଏହାକୁ ଆଖିଆଗରେ ରଖି ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଚାଷୀମାନେ ନିଜନିଜର ବାଡିବଗିଚାରେ ଉତ୍ପାଦିତ ହେଉଥିବା ଦେଶୀ ପଣସ, ଖଜରା ପଣସ,ଦୋରୁଅ ପଣସ ଭଳି ବିଭିନ୍ନ କିସମର ପଣସ ଜାତୀୟ ରାଜପଥ ପାର୍ଶ୍ୱରେ ରଖି ଅତ୍ୟନ୍ତ ସୁଲଭ ମୂଲ୍ୟରେ ପଥଚାରୀମାନଙ୍କୁ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ପଥଚାରୀମାନେ ମଧ୍ୟ ଅତ୍ୟନ୍ତ ସୁଲଭମୂଲ୍ୟରେ ରାସାୟନିକ ସାର ବିହନ ତଟକା ଆମ୍ବ,ପଣସ ପାଇ ଅତ୍ୟନ୍ତ ଖୁସିହେଉଥିବା ଦେଖାଯାଉଛି ।

hiranchal ad1
Leave A Reply

Your email address will not be published.

14 + seven =