ଗଜପତି,୨/୬- ଭୂମିହୀନ ଭାଗ ଚାଷୀମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବାବେଳେ ଗଜପତିରେ ଏହା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଳରାମ ଯୋଜନାରେ ଭୂମି ହୀନ କୃଷକ ମାନଙ୍କ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ ବ୍ୟାଙ୍କରେ ଆବେଦନ କଲେ ଆବଶ୍ୟକ ଦସ୍ତାବିଜ ଦାଖଲ ପରେ ବ୍ୟାଙ୍କ ଗୋଷ୍ଠୀ ପ୍ରତି ୧.୬ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କୃଷକ ସାଥୀ ମାନେ ନିଜ ପଞ୍ଚାୟତରେ ଚାରି ପାଞ୍ଚ ଜଣ ଚାଷୀଙ୍କୁ ନେଇ ଏହି ଗୋଷ୍ଠୀ ଗଠନରେ ସହାୟତା କରିଥାନ୍ତି । ପ୍ରତି ବ୍ୟକ୍ତିଙ୍କୁ ମିଳିତ ଦେଇ ଗୋଷ୍ଠୀକୁ ଋଣ ଦେବା ପାଇଁ ନାବାର୍ଡ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥାଏ । କ୍ଷେତ୍ର ପରିଦର୍ଶନ ପରେ ନିର୍ଦ୍ଦିର୍ିଷ୍ଟ ଫର୍ମରେ ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକମାନେ ଭାଗଚାଷୀଙ୍କୁ ଚାଷ ପ୍ରମାଣପତ୍ର ଦିଅନ୍ତି । ମିଳିତ ଦେୟ ଗୋଷ୍ଠୀର କୌଣସି ସଦସ୍ୟ ବ୍ୟାଙ୍କ ଋଣ ଖିଲାପି ହୋଇ ନଥିବେ ବା ଗୋଟିଏ ପରିବାରର ସଦସ୍ୟ ହୋଇ ନଥିବେ । ଏହିଭଳି ବଳରାମ ଯୋଜନାରେ ନିୟମ ରହିଥିବା ବେଳେ ସଚେତନତା ଓ ପ୍ରଚାର ପ୍ରସାର ଅଭାବରୁ ଏହି ଯୋଜନା ଗଜପତି ଜିଲ୍ଲାରେ ଫେଲ ମାରିଥିବା ଜଣାପଡ଼ିଛି । ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ବାର୍ତ୍ତାଳାପ ବେଳେ ସୂଚନା ଦେଇଛନ୍ତି ଯେ ବଳରାମ ଯୋଜନାରେ ସାତ ଶହ ଆଠ ଫର୍ମ ଆବେଦନ ହୋଇଥିବା ବେଳେ ସେଥି ମଧ୍ୟରୁ ୪୫ ଗୋଟି ଆବେଦନ ଫର୍ମ ରିଜେକ୍ଟ ହୋଇଥିବା ପରିପ୍ରକାଶ କରିଛନ୍ତି । ସେଥିମଧ୍ୟରୁ ୧୩ ଗୋଟି ଗୋଷ୍ଠୀଙ୍କୁ ଫସଲ ଋଣ ପାଇଁ ମଞ୍ଜୁର କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ପ୍ରକାଶ ଥାଉକି ଏହି ବିଷୟରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନେ ବଳରାମ ଯୋଜନା ଉପରେ ଅଧିକାରୀଙ୍କୁ ବୁଝାଇବାକୁ କହିବା ସହ ଏହି ଯୋଜନାରେ କେତେ ଗୋଷ୍ଠୀ ଫଳପ୍ରଦ ହୋଇଛନ୍ତି ପ୍ରଶ୍ନ କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷ ୧୩ ଜଣ ଗୋଷ୍ଠୀଙ୍କୁ ମଞ୍ଜୁର ହୋଇଥିବା କହିବାସହ ବ୍ୟାଙ୍କର ସହଯୋଗ ନ ଥିବାରୁ ଏହି ଯୋଜନା ଆଗକୁ ବଢିପାରୁ ନଥିବା ପ୍ରକାଶ କରିଥିଲେ । ଜନ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ଯୋଜନା ବିଷୟରେ ତୃଣମୂଳ ସ୍ତରରେ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହି ବିଷୟରେ ଗୁରୁତ୍ୱ ଦେବା ପାଇଁ କହିଥିଲେ ଓ ଏହି ଯୋଜନା କିପରି ସଫଳ ରୂପାୟନ ହୋଇପାରିବ ଓ ଅଧିକଗୋଷ୍ଠୀ ପାଇପାରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ ।