ମେ ୩୦ରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ନବୀନ ଆହ୍ୱାନ

0 129

ଭୁବନେଶ୍ୱର : କରୋନା ଯୁଦ୍ଧରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କୁ ସଫଳତାର ଶ୍ରେୟ ଦେବାକୁ ପଡିବ । ଏହା କହିଛନ୍ତି କରୋନା ଯୁଦ୍ଧର ମୁଖ୍ୟ ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା ମଇ ୩୦ ତାରିଖ ସଂଧ୍ୟା ସାଢେ ୫ଟାରେ ଆମେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାଇବା ବୋଲି ଓଡିଶାବାସୀଙ୍କଠାରେ ଅପିଲ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରି ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨ ମାସ ଆଗରୁ ସାରା ଦୁନିଆ ଏକ ବହୁ କଠିନ ପରିସ୍ଥିତିର ସାମ୍ନା କରିଛି । ବଡବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି ହୋଇଛି । ସେହି ଏକା ସମୟରେ ଓଡିଶା ବି କୋଭିଡ ବିରୁଦ୍ଧରେ ତା\’ର ଯୁଦ୍ଧ ଆରମ୍ଭ କରିଥିଲେ । କୋଭିଡରୁ ଲୋକଙ୍କୁ ରକ୍ଷା କରିବା, ସେମାନଙ୍କ ଜୀବନ ବଞ୍ଚାଇବା ମୋ ସରକାରର ଥିଲା ପ୍ରାଥମିକତା । ପ୍ରତିଟି ଜୀବନର ସୁରକ୍ଷା ମୋ ପାଇଁ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ ଆମେ ଯାହା ବି ନୀତି ଓ ପଦକ୍ଷେପ ଗ୍ରହଣ କରିଥିଲୁ ତାହା ମୋର ପ୍ରିୟ ସାଢେ ଚାରିକୋଟି ଓଡିଶାବାସୀଙ୍କ ଜୀବନରକ୍ଷା ଥିଲା ମୂଳ ଲକ୍ଷ୍ୟ । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । କୋଭିଡରେ ଓଡିଶାର ମୃତ୍ୟୁହାର ବିଶ୍ୱରେ ସବୁଠାରୁ କମ୍ । କରୋନାରେ ପୀଡିତ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡିଶା ଭଳି ଏକ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡବଡ ରାଜ୍ୟ ଏପରିକି ଧନୀ ରାଜ୍ୟମାନେ କରୋନା ଯୁଦ୍ଧରେ ଏତେ ସଫଳତା ପାଇନାହାନ୍ତି । ଆଜିକା ଦିନ ପାଇଁ ଓଡିଆ ଜାତି ପାଇଁ ଏହା ହେଉଛି ଅଦ୍ଭୁତପୂର୍ବ ସଫଳତା । ଏହି ସମୟରେ ପ୍ରବାସରେ ଥିବା ଲକ୍ଷଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରିଛନ୍ତି । କୋଭିଡ ବିରୋଧରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଲକ୍ଷଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ ଓ ନିଷ୍ଠା । ସେଇଥି ପାଇଁ ଯିଏବି ହୁଅନ୍ତୁ ସରକାରୀ ବେସରକାରୀ କର୍ମଚାରୀ, ଲୋକପ୍ରତିନିଧି ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ କରୋନା ଯୁଦ୍ଧରେ ଯେଭଳି ସେବା ଯୋଗାଇ ଚାଲିଛନ୍ତି ତାହାର ତୁଳନା ନାହିଁ । ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବରେ ବିପୁଳ ସମର୍ଥନ ଦେଇଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହା ସହିତ ମହାପ୍ରଭୁଙ୍କ ଆର୍ଶୀବାଦ ସବୁବେଳେ ଆମ ସାଥୀରେ ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ ଆମର ଓଡିଆ ଭାଇଭଉଣୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ଆସନ୍ତା ମଇ ୩୦ ତାରିଖ ଶନିବାର ସଂଧ୍ୟା ସାଢେ ୫ଟାରେ ଆପଣମାନେ ଯେଉଁଠି ଯିଏ ଥାଆନ୍ତୁ ବନ୍ଦେ ଉତ୍କଳ ଜନନୀ ଗାଇ କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରନ୍ତୁ ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାନ୍ତୁ । ଏହା ଆମ ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ପ୍ରେରଣା ଯୋଗାଇବ । ଉତ୍କଳ ପ୍ରଦେଶ ଗଠନ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତିୟତା ବନ୍ଧନକୁ ଏହା ମଜଭୁତ କରିଥିଲା । ଓଡିଆ ଜାତି ପାଇଁ ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଏହା ଅଦ୍ଭୁତପୂର୍ବ ପ୍ରେରଣା ଯୋଗାଇବ । ଆଗାମୀ ଦିନର ସମସ୍ତ ଆହ୍ୱାନକୁ କଠିନ ରାସ୍ତାକୁ ସଫଳ ଭାବେ ମୁକାବିଲା କରିବା ପାଇଁ ଏହା ଆମକୁ ଶକ୍ତି ଦେବ ବୋଲି ମୋର ଆଶା ।

hiranchal ad1
Leave A Reply

Your email address will not be published.

twenty − eleven =