ମେସିନରେ ଚାଲିଛି ମନରେଗା : ନୂତନ ତରିକା ଆପଣେଉଛନ୍ତି କୁଜି ଠିକାଦାର

0 802

ବୌଦ୍ଧ:- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା)ରେ ଜିଲ୍ଲାର ସମସ୍ତ ବ୍ଲକରେ ଚାଲିଛି କୋଟିକୋଟି ଟଙ୍କାର କାମ । ନୂତନ ମାଟିରାସ୍ତା ନିର୍ମାଣ ଓ ପୋଖରୀ ଖନନ କାମ ମେସିନ ସାହାଯ୍ୟରେ ସବୁ ପଞ୍ଚାୟତରେ ଜୋରସୋରରେ ଆରମ୍ଭ ହୋଇଯାଇଛି । ଲୋକେ କାମ ନପାଇ ଲକଡାଉନ ଯୋଗୁଁ ରୋଜଗାର ହରାଇ ବସିଥିବାବେଳେ ମେସିନ ଓ ଟ୍ରାକ୍ଟର ଲଗାଇ ବେଧଡକ କାମ ଚାଲିଛି । ସରକାରୀ ଅଧିକାରୀମାନଙ୍କ ନାମରେ ମନରେଗା କାର୍ଯ୍ୟର ସବୁ କାଗଜ ହେଉଥିଲେ ମଧ୍ୟ ରାଜନୈତିକ ଲୋକଙ୍କ ଛତ୍ରଛାୟା ତଳେ ଥିବା କୁଜି ଠିକାଦାରମାନେ ଏସବୁ କାର୍ଯ୍ୟର ସାଜିଛନ୍ତି ଅସଲ କାର୍ପଟଦାର । ବିଭିନ୍ନ ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିବା ଜେଇମାନେ ସେମାନଙ୍କର ହାତବାରିସୀ ସାଜି ସବୁ ନୀତିନିୟମକୁ ଆଖିବୁଜି ଦେଉଥିବା ଅଭିଯୋଗ ହୁଏ ।

hiring


ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ ମନରେଗା କାମ କେବଳ ଶ୍ରମିକ ମାନଙ୍କ ଦ୍ୱାରା କରାଯିବାକୁ କଡା ନିର୍ଦ୍ଦେଶ ଦେବାପରେ ଦାୟିତ୍ୱରେ ଥିବା ଅଧିକାରୀମାନେ ନୂତନ ତରିକା ଆପଣେଇଥିବା ଆଲୋଚନା ହେଉଛି । କୌଣସି ପୋଖରୀ କାର୍ଯ୍ୟ ମେସିନ ସାହାଯ୍ୟରେ ଚାଲିଥିବା ଅଭିଯୋଗ ଆସିଲେ ବିଡିଓ ଏବଂ ଯନ୍ତ୍ରୀମାନେ ତାହା ମନରେଗା କାମ ନୁହେଁ ବୋଲି କହି ଲୋକଙ୍କୁ ଭକୁଆ ବନାଉଛନ୍ତି । ଚତୁର୍ଦ୍ଦଶ ଅର୍ଥ କମିଶନ କିମ୍ବା ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ପୋଖରୀ କାମ ମେସିନ ସାହାଯ୍ୟରେ ହେଉଥିବା କହୁଛନ୍ତି । ମାତ୍ର ସେମାନଙ୍କର ଅସଲ ଉଦ୍ଦେଶ୍ୟ ହେଲା ଜୁନ ୧୫ ତାରିଖ ବେଳକୁ ଏସବୁ କାମର ମୋଷ୍ଟରରୋଲ ପ୍ରସ୍ତୁତକରି ମନରେଗାରୁ ହିଁ ବିଲ୍ କରିବେ । ଅନେକ ପ୍ରକଳ୍ପକୁ ଚତୁର୍ଦ୍ଦଶ ଅର୍ଥ କମିଶନ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରୁ ଥରେ ବିଲ୍‌କରି ସେହିକାମକୁ ଦେଖାଇ ପୁଣି ମନରେଗାରୁ ଆଉଥରେ ବିଲ୍ କରିବାକୁ ଚକ୍ରାନ୍ତ କରୁଥିବା ଶୁଣିବାକୁ ମିଳେ । ଗୋଟିଏ ଗୋଟିଏ କାମକୁ ଦୁଇଟି ଅନୁଦାନରୁ ବିଲ୍‌କରି କୋଟିକୋଟି ଟଙ୍କା ପରସ୍ପର ମଧ୍ୟରେ ମିଳିମିଶି ଚଳୁ କରିଦେବାର ଯୋଜନା କରିଥିବା ଅଭିଯୋଗ ହୁଏ ।
ଏଭଳି ଅଭିଯୋଗ ସଂପର୍କରେ ତଦନ୍ତକରି ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ଜିଲ୍ଲାପାଳ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏ ସଂପର୍କରେ ଅନୁଧ୍ୟାନ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

nineteen + eight =