କ୍ୟାବିନେଟ ବୈଠକ : “ବନ୍ଦେ ଉତ୍କଳ ଜନନୀ…’କୁ ରାଜ୍ୟ ସଂଗୀତ ମାନ୍ୟତା

0 155

ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନ୍ନବଦ୍ୟ ସୃଷ୍ଟି “ବନ୍ଦେ ଉତ୍କଳ ଜନନୀ…’ ସଂଗୀତକୁ ରାଜ୍ୟ କ୍ୟାବିନେଟ୍ ଆଜି ରାଜ୍ୟ ସଂଗୀତ ଭାବେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସଂଗୀତକୁ ରାଜ୍ୟର ସଂଗୀତ ଭାବେ ମାନ୍ୟତା ଉପରେ ମୋହର ଦେଇଥିଲେ । ଆଜିର କ୍ୟାବିନେଟ ବୈଠକରେ କେବଳ ଏହି ଗୋଟିଏ ପ୍ରସ୍ତାବ ପାରିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ପ୍ରେସକୁ ସୂଚନା ଦେଇଥିଲେ । ଶ୍ରୀ ଆରୁଖ କହିଥିଲେ ଯେ, ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି । ଓଡିଆ ଜାତିଆତାବାଦ ଉଦ୍ରେତ ତଥା ସମସ୍ତଙ୍କ ଓଡିଆଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ଲକ୍ଷ୍ୟରେ ରାଜ୍ୟ ସରକାର କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏହି ସଂଗୀତର ଗାୟନ ପଦ୍ଧତି, ଅନୁମୋଦିତ ସ୍ୱର, ଶୈଳୀ ଓ ରେକର୍ଡିଂ ସ୍ଥିର କରିବ । କ୍ୟାବିନେଟର ଅନୁମୋଦନ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶ ଆରମ୍ଭ କାଳରେ ସ୍ୱତନ୍ତ୍ର ଭାବରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଂଗୀତ ବିନା ବାଦ୍ୟ ପରିବେଷଣ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସଭାସମିତି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହାକୁ ପୃଷ୍ଠସଂଗୀତ ଭାବେ ବାଦ୍ୟଯନ୍ତ୍ର ସଂଗତ ସହିତ ଗାୟନ କରାଯିବ । କୌଣସି ଉତ୍ସବ ଓ ସାଧାରଣ ସଭାର ଉଦଘାଟନୀ,ଉଦଯାପନୀ, ଉଦ୍‌ବୋଧନରେ ସଂଗୀତ ଭାବରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇପାରିବ । ସଂଗୀତ ପରିବେଷଣ ବେଳେ ରାଜ୍ୟ ସଂଗୀତର ମାନ୍ୟତା ଲାଭ କରିଥିବାରୁ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗାୟନ କାଳରେ ଦଣ୍ଡାୟମାନ ରହିବେ । ତେବେ ବୟସ୍କ,ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତି ମହିଳା, ଯେଉଁମାନେ ନିଜର ଅକ୍ଷମତା କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଥିବ ସେମାନଙ୍କୁ ଗାୟନ କାଳରେ ଆସନରେ ବସି ସମ୍ମାନ ପ୍ରଦର୍ଶନ ପୂର୍ବକ ଗାୟନ କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତିରେ ଏହି ଶ୍ରେଣୀର ବ୍ୟକ୍ତିଙ୍କୁ ଏଥିରୁ ଅବ୍ୟାହତି ଦିଆଯାଇଥିବା ସୂଚନା ଦିଆଯାଇଛି । ପୁଲିସ ବ୍ୟାଣ୍ଡ, ବଂଶୀସିତାର ଭଳି ବାଦ୍ୟଯନ୍ତ୍ର ମାଧ୍ୟମରେ ଏହି ସଂଗୀତକୁ ପରିବେଷଣ କରିପାରିବେ । ଏହି ସଂଗୀତର ପ୍ରଚାରପ୍ରସାର ଓ ଅଭିବୃଦ୍ଧି ପାଇଁ ସୃଜନାତ୍ମକ ପରିବେଶ ଉପରେ କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଂଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ କ୍ୟାବିନେଟରେ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

3 + 16 =