ପୁଲିସ ଗୁଳିରେ ୫ ମାଓ ନିହତ ପରେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଦାରିଙ୍ଗବାଡ଼ି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି କମ୍ବିଂ ଅପରେସନ !

0 104

ଦାରିଙ୍ଗବାଡ଼ି ୯/୭: କନ୍ଧମାଳ ଜିଲ୍ଲା ପୁଲିସ ଗୁଳିରେ ଗତ ୩ଦିନ ମଧ୍ୟରେ ଦୁଇ ଦୁଇ ଥର ଗୁଳିବିନିମୟରେ ୫ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏଥିସହିତ ପୁଲିସ ଗୁଳିରେ ଅନେକ ମାଓବାଦୀ ଆହତ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ପଳାଇ ଯାଇଥିବା ନେଇ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ତେଣୁ ଆହତ ହୋଇଥିବା ମାଓବାଦୀମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ କାବୁ କରିବା ପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମା ଗୁଡ଼ିକୁ ସିଲକରିଦେଇଥିବା ବେଳେ ଜିଲ୍ଲାଭିତରେ ବିଭିନ୍ନ ଥାନା ଅଂଚଳରେ ପୁଲିସ ତରଫରୁ ବ୍ୟାପକ ଖାନତଲାସୀ କରାଯାଉଛି । ପୁଲିସ ଗୁଳିରେ ୫ମାଓବାଦୀ ନିହତ ହେବା ପରେ ଦାରିଙ୍ଗବାଡ଼ି ଥାନା ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯିବା ସହିତ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଛି । ବିଭିନ୍ନ ଅଞ୍ଚଳରୁ ଥାନା ଅଞ୍ଚଳକୁ ଆସୁଥିବା ସନ୍ଦିଗ୍ଧ ଲୋକଙ୍କ ଉପରେ ପୁଲିସ କଡ଼ା ନଜର ମଧ୍ୟ ରଖିଛି । ସୂଚନା ପ୍ରକାରେ ଦୁଇ ଦୁଇ ଥର ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁଁ ଅନେକ ମାଓବାଦୀମାନେ ଆହତ ହୋଇଥିବାବେଳେ ସେମାନେ ସିର୍ଲା ଜଙ୍ଗଲ ଭିତରୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଦାରିଙ୍ଗବାଡ଼ି ଓ ବାଲିଗୁଡା ଥାନା ସୀମାବର୍ତୀ ଘଞ୍ଚ ଜଙ୍ଗଲ ଭିତରେ ଆହତ ଅବସ୍ଥାରେ ଲୁଚି ରହିଥିବା ପୁଲିସ ଅନୁମାନ କରୁଛି । ଆହତ ଅବସ୍ଥାରେ ଥିବାରୁ ମାଓବାଦୀମାନେ ଯେକୌଣସି ଉପାୟ ଅବଲମ୍ବନ କରି ଡାକ୍ତରଖାନାକୁ ଚିକିତ୍ସାପାଇଁ ଆସିବାକୁ ଚେଷ୍ଟା କରିବେ । ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ଏଥିପାଇଁ ସଜାଗ ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କଡ଼ା ପାଇଁତରା ମାରୁଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ପୂର୍ବରୁ ଅନେକ ଥର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଧମକପୂର୍ଣ୍ଣ ମାଓ ପୋଷ୍ଟର ଓ ବ୍ୟାନର ଲଗାଇ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ବର୍ତ୍ତମାନ ୫ଜଣ ମାଓବାଦୀ ନିହତ ହେବା ଫଳରେ ଲାଲ ବାହିନୀ ରକ୍ତମୁଖା ହୋଇ ଆସନ୍ତା ୨୬ତାରିଖରେ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ବେଳେ କୌଣସି ଏକ ବଡ କାଣ୍ଡ ଭିଆଇବା ପାଇଁ ଷଡ଼ଯନ୍ତ୍ର କରିପାରନ୍ତି ବୋଲି ପୁଲିସ ଅନୁମାନ କରୁଛି । ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିର ବିଭିନ୍ନ ଘଞ୍ଚ ଜଙ୍ଗଲ ମଧ୍ୟରେ ଆହତ ହୋଇଥିବା ମାଓବାଦୀମାନେ ଲୁଚି ରହିଥିବା ଆଶଙ୍କାରେ କିଛି ଅଂଚଳରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇ କମ୍ବିଂ ଅପରେସନ ଚାଲିଥିବା ସୂଚନା ମିଳିଥିଲେ ସୁଦ୍ଧା ଏନେଇ ପୁଲିସ ପ୍ରଶାସନ ତରଫରୁ କୌଣସି ସୂଚନା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

18 − seventeen =