ବାଲିଗୁଡା,୨୫/୭- ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି । ଏଥିରେ କନ୍ଧମାଳ ଜିଲ୍ଲାର ଯୁବ ସାହିତ୍ୟିକ ଗିରିଜା ପ୍ରସାଦ ମିଶ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ନୂତନ ସାଧାରଣ ପରିଷଦର କାର୍ଯ୍ୟକାଳ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୩ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ୩ ବର୍ଷ ଧରି ଚାଲିବ । ଶ୍ରୀ ମିଶ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ୧୯୭୯ ମସିହା ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକ ଓ ଚିତ୍ରଶିଳ୍ପୀ ଭାବରେ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ମିଶ୍ର ୨୦୧୧ମସିହାରୁ ଲଗାତାର ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପୁରସ୍କାର ସହ ରାଜ୍ୟ ଲଳିତ ଏକାଡେମୀ, କଳିଙ୍ଗ ଲିଟେରାରି ପୁରସ୍କାର, କନ୍ଧମାଳ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ତାଙ୍କର କବିତା ପୁସ୍ତକ ପ୍ରଥମ ପର୍ବ ପ୍ରକାଶିତ ହୋଇଛି । ଏତଦ ବ୍ୟତୀତ ରାଜ୍ୟର ଅନେକ ଲବ୍ଧ ପ୍ରତିଷ୍ଠିତ ଖବରକାଗଜ ଓ ପତ୍ରପତ୍ରିକାରେ ଶ୍ରୀ ମିଶ୍ରଙ୍କ ଶତାଧିକ କବିତା, ଫିଚର ଓ ପ୍ରବନ୍ଧ ପ୍ରକାଶିତ ହୋଇ ଉଚ୍ଚ଼ ପ୍ରଶଂସିତ ହୋଇପାରିଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର କନ୍ଧମାଳ ଜିଲ୍ଲାର ସଦସ୍ୟ ଭାବେ ମନୋନୀତ ହେବା ପରେ ରାଜ୍ୟର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।